ମୁମ୍ବାଇ, ୫/୧୨ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାବିସ। ତୃତୀୟ ଥର ପାଇଁ ମହାରାଷ୍ଟ୍ରରେ ଆରମ୍ଭ ହେଲା ଫଡନାବିସ ସରକାର। ଫଡନାବିସଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏନସିପି ମୁଖ୍ୟ ଅଜିତ ପାୱାର ଓ ଶିବସେନା ମୁଖ୍ୟ ଏକନାଥ ସିନ୍ଦେ। ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ ସିପି ରାଧାକୃଷ୍ଣ। ତେବେ ଏମାନଙ୍କ ବ୍ୟତୀତ ଆଉ କେହି ମନ୍ତ୍ରୀ ଭାବେ ଶପଥ ନେଇ ନାହାନ୍ତି। ମୁମ୍ବାଇସ୍ଥିତ ଆଜାଦ ମୈଦାନରେ ଶପଥ ଗ୍ରହଣ ପାଇଁ ଭବ୍ୟ ଆୟୋଜନ ହୋଇଥିଲା।
ସନ୍ଧ୍ୟା ସାଢ଼େ ୫ଟାରେ ଶପଥ ନେଇଥିଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ। ତାଙ୍କ ପରେ ଏକନାଥ ସିନ୍ଦେ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଓ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଏଥିରେ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ସାମିଲ ହୋଇଥିଲେ।