ନୂଆଦିଲ୍ଲୀ,୧୧/୪ : ତାମିଲନାଡୁ ରାଜନୀତିରେ ନୂଆ ସମୀକରଣ । ତାମିଲନାଡୁର ଶାସକ ଦଳକୁ ହରାଇବା ପାଇଁ ନୂଆ ଗୋଟି ଚାଲନା କରିଛି ବିଜେପି । ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁର ଆଞ୍ଚଳିକ ଦଳ ଏଆଇଡିଏମକେ ସହିତ ମେଣ୍ଟ କରିଛି ବିଜେପି । ଉଭୟ ଦଳ ଏ ନେଇ ଘୋଷଣା କରିଛନ୍ତି । ଷ୍ଟାଲିନ ସରକାର ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବାବେଳେ ବିଜେପି ନୂଆ ଯୋଜନା ଆରମ୍ଭ କରିଛି । ଷ୍ଟାଲିନ ସରକାରଙ୍କ ସହ ଲଢେଇ କରିବା ପାଇଁ ଏଆଇଡିଏମକେ ସହିତ ହାତ ମିଳାଇଛି । ସଂସଦୀୟ କ୍ଷେତ୍ର ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ବି ଷ୍ଟାଲିନ ଅଣ ବିଜେପି ଶାସିତ ରାଜ୍ୟ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଦଳକୁ ଏକାଠି କରି ବିଜେପି ବିରୋଧରେ ବିଦ୍ରୋହ ଚେତାବନୀ ଦେଇଛନ୍ତି।ମେଣ୍ଟ ଘୋଷଣା ସମୟରେ ଶାହା କହିଛନ୍ତି ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନ ରାଜ୍ୟରେ ଇ. ପଲାନିସ୍ୱାମୀଙ୍କ ନେତୃତ୍ୱରେ ଲଢ଼ାଯିବ, ଯେତେବେଳେ ଜାତୀୟ ସ୍ତରରେ ମେଣ୍ଟର ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେବେ। ୧୯୯୮ ମସିହାରୁ ଜୟଲଳିତା ଏବଂ ଅଟଳଜୀଙ୍କ ସମୟରେ, ଆମେ ଏକାଠି ନିର୍ବାଚନ ଲଢ଼ି ଆସୁଛୁ। ଗୋଟିଏ ସମୟ ଥିଲା ଯେତେବେଳେ ଆମେ ଏକାଠି ୩୯ଟି ଲୋକସଭା ଆସନରୁ ୩୦ଟି ଜିତିଥିଲୁ।
ବିଜେପି ଏବଂ ଏଆଇଏଡିଏମକେ ମଧ୍ୟରେ ମେଣ୍ଟ କେବଳ ରାଜନୈତିକ ନୁହେଁ ବରଂ ବିଶ୍ୱାସ ଏବଂ ବିଚାରଧାରା ଉପରେ ଆଧାରିତ। ଶାହ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଥିବା ସମ୍ପର୍କକୁ ମଧ୍ୟ ମନେ ପକାଇ କହିଛନ୍ତି ଯେ ଦୁଇ ନେତା ସର୍ବଦା ତାମିଲନାଡୁର ବିକାଶ ପାଇଁ ଏକାଠି କାମ କରିଛନ୍ତି।ଶାହା ସ୍ପଷ୍ଟ କରିଛନ୍ତି ଯେ ବିଜେପି ସରକାର ଏଆଇଡିଏମକେର ଆଭ୍ୟନ୍ତରୀଣ ବ୍ୟାପାରରେ କୌଣସି ହସ୍ତକ୍ଷେପ କରିନାହିଁ। ଏହି ମେଣ୍ଟ ଉଭୟ ଦଳ ପାଇଁ ଉପଯୋଗୀ ଏବଂ ଏକାଠି ନିର୍ବାଚନ ଲଢ଼ିବ। ମନ୍ତ୍ରୀଙ୍କ ସଂଖ୍ୟା ଏବଂ ଆସନ ବଣ୍ଟନ ସମ୍ପର୍କରେ ନିଷ୍ପତ୍ତି ଉପଯୁକ୍ତ ସମୟରେ ନିଆଯିବ। ବର୍ତ୍ତମାନ, NDAର ମୁଖ୍ୟ ଲକ୍ଷ୍ୟ ହେଉଛି ରାଜ୍ୟରେ ଦୁର୍ନୀତିଗ୍ରସ୍ତ DMK ସରକାରଙ୍କୁ ହଟାଇବା।ଶାହା ଷ୍ଟାଲିନ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଡିଏମକେ ଜାଣିଶୁଣି ସନାତନ ଧର୍ମ ଏବଂ ଭାଷା ଭଳି ପ୍ରସଙ୍ଗ ଉଠାଇଛି ଯାହା ଦ୍ଵାରା ଏହା ଅସଲ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇପାରିବ। ସେ କହିଛନ୍ତି ଯେ ତାମିଲନାଡୁ ନିର୍ବାଚନରେ ସବୁଠାରୁ ବଡ଼ ପ୍ରସଙ୍ଗ ହେବ ଦୁର୍ନୀତି, ଏବଂ ଲୋକମାନେ ଏଥର ବିକାଶ ଏବଂ ସ୍ୱଚ୍ଛତାକୁ ବାଛିବେ। ଅଟଳ ବିହାରୀ ବାଜପେୟୀ ଏବଂ ଜୟଲଳିତାଙ୍କ ସମୟରେ ଥିବା ମେଣ୍ଟକୁ ମନେ ପକାଇ ସେ କହିଛନ୍ତି ଯେ ବିଜେପି ଏବଂ ଏଆଇଏଡିଏମକେ ମିଳିତ ଭାବରେ ଅତୀତରେ ମଧ୍ୟ ବଡ଼ ସଫଳତା ହାସଲ କରିଛନ୍ତି।