ନୂଆପଡ଼ା ନେଇଯିବ କଂଗ୍ରେସଅ | ଅନେଇ ବସିଥିବେ ବିଜେପି ବିଜେଡି !

ନୂଆପଡ଼ା ରାଜନୀତିରେ ଘଡିକୋ ଛୁଟୁଛି ଘୋଡା । ଜୟ ଢୋଲକିଆ ବିଜେପିରେ ମିଶିବା ପରେ ସବୁ ଅଙ୍କ ଯେମିତି ଏପଟ ସେପଟ ହେଇଯାଇଛି। ନା ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରୁଛି ନା ବିଜେଡି ପ୍ରାର୍ଥୀ ବାଛି ପାରୁଚି । ଦୁଇ ବିଲେଇ ପିଠା ଭାଗ ବଣ୍ଟା ରେ ଯେମିତି ମାଙ୍କଡ଼ର ଲାଭ ହୁଏ , ଠିକ୍ ସେମିତି ଏବେ ନୂଆପଡାରେ ବିଜେପି ବିଜେଡିର ଗୋଳମାଳିଆ ପରିସ୍ଥିତିର ଭରପୁର ଲାଭ ଉଠୁଚି କଂଗ୍ରେସ ।

କଂଗ୍ରେସ ବହୁ ଆଗୁଆ ତାର ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଏବେ ମଇଦାନକୁ ଓଲ୍ହାଇ ପ୍ରଚାର ବି ଆରମ୍ଭ କଲାଣି । ନୂଆପଡ଼ା ପାଇଁ ଘାସିରାମ ମାଝୀଙ୍କୁ ଟିକେଟ ଦେଇ ଦଳ ପୁରୁଣା ଭୁଲକୁ ସୁଧାରି ନେଇଛି । ଆଉ ପିସିସି ସଭାପତି ବି ବଡ ଗେମ୍ ହାତକୁ ନେଇଛନ୍ତି । ବିଶେଷକରି ଭକ୍ତ ଦାସଙ୍କ ନିଜ ସଂସଦୀୟ କ୍ଷେତ୍ରରେ ନୂଆପଡ଼ା ଆସୁଥିବାରୁ ଏହି ନିର୍ବାଚନ ଭକ୍ତଙ୍କ ପାଇଁ କୌଣସି ଅଗ୍ନିପରୀକ୍ଷା ଠାରୁ କମ୍ ନୁହେଁ। ଏହି ଆସନରୁ କଂଗ୍ରେସକୁ ଜିତାଇବା ପାଇଁ ଭକ୍ତ ଦାସ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି।

ସେପଟେ ଘାସିରାମ ମାଝି ବି ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଏପରିକି ଭୋଟରଙ୍କ ଗୋଡ଼ ତଳେ ପଡି ତାଙ୍କୁ ଭୋଟ ମାଗୁଥିବା ଦେଖିବାକୁ ମିଳିଛି । ନୂଆପଡ଼ାରେ ଚତୁର୍ଥ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି ଘାସିରାମ । ୨୦୧୪ ଓ ୨୦୧୯ କଂଗ୍ରେସ ପ୍ରାର୍ଥୀ ହୋଇ ଭଲ ଭୋଟ ପାଇଥିବା ବେଳେ ୨୦୨୪ରେ ସ୍ୱାଧୀନ ଭାବେ ଲଢି ୫୦ ହଜାରରୁ ଅଧିକ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ । ।ତେଣୁ ଶେଷଥର ପାଇଁ ତାଙ୍କୁ ନିର୍ବାଚିତ କରିବାକୁ ଭୋଟର ମାନଙ୍କୁ ସେ ନିବେଦନ କରିଛନ୍ତି ।

ଘାସିରାମଙ୍କ ପ୍ରତି ଗଣ୍ଡ ସଂପ୍ରଦାୟର ସମର୍ଥନ ରହିଛି। ସେଥିପାଇଁ ଆଦିବାସୀ ଭୋଟ ଓ ଅନୁକମ୍ପା ଭୋଟ ଆଶା ରଖିଛି କଂଗ୍ରେସ । ଯାହା କଂଗ୍ରେସକୁ ବିଜୟ ମୁକୁଟ ବି ପିନ୍ଧାଇ ପାରେ । କାରଣ ବିଜେପି ଆଉ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରି ନଥିବା ବେଳେ କଂଗ୍ରେସ ପ୍ରଚାର ଆରମ୍ଭ କରି ଯେମିତି ନିଜର ବିଜୟ ସୁନିଶ୍ଚିତ କରିଦେଇଛି । ଆଉ ଏହିଭଳି ଭାବେ ଚାଲିଲେ, ସତକୁ ସତ କଂଗ୍ରେସ ଯେ ନୂଆପଡାରେ ବାଜି ମାରି ନନେବ , ତାହା କିଛି ଅସମ୍ଭବ ନୁହେଁ ।

Leave a Reply

Your email address will not be published. Required fields are marked *