ଓଡ଼ିଆ ଛାତ୍ରୀଙ୍କୁ କୋଲକାତା ଗଣଦୁଷ୍କର୍ମ: ତାତିଲେ ଓଡ଼ିଆ ଲୋକେ

ସାରା ଦେଶକୁ ସ୍ତବ୍ଧ କରିଛି ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ହଷ୍ଟେଲରୁ ବାହାରକୁ ଯାଇଥିବା ବେଳେ ଅମାନୁଷିକକାଣ୍ଡ ଘଟାଇଥିଲେ ନରପିଶାଚମାନେ । ଶୁକ୍ରବାର ରାତିରେ ଛାତ୍ରୀଜଣକ ତାଙ୍କ ଜଣେ ପୁରୁଷ ସାଙ୍ଗ ସହିତ କଲେଜ ବାହାରେ ଥିବା ବେଳେ କିଛି ଦୁର୍ବୃତ୍ତ ସେମାନଙ୍କୁ ଧରି ଜଙ୍ଗଲିଆ ଅଞ୍ଚଳକୁ ନେଇ ଗଣଦୁଷ୍କର୍ମ କରିଥିଲେ।

ଏବେ ପୀଡିତାଙ୍କ ଅବସ୍ଥା ଗୁରୁତର ରହିଛି । ହସ୍ପିଟାଲ୍ ରେ ତାଙ୍କର ଚିକିତ୍ସା ଚାଲିଛି । ପୀଡିତା ହେଉଛନ୍ତି ଘରୋଇ ମେଡିକାଲ୍ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ ତଥା ଓଡ଼ିଶାର ଜଳେଶ୍ୱର ଅଞ୍ଚଳର ୨୩ ବର୍ଷୀୟା ଯୁବତୀ। ବାରମ୍ବାର ଏଭଳି ଅମାନୁଷିକ କାଣ୍ଡ ଘଟୁଥିବାରୁ ତାତିଛନ୍ତି ଜନତା । ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଭିନ୍ନ ସଂଗଠନ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

କୋଲାକାତାରୁ ଭୁବନେଶ୍ବର ପର୍ଯ୍ୟନ୍ତ ଏହି ପ୍ରସଙ୍ଗକୁ ନେଇ ବଢ଼ୁଛି ଆକ୍ରୋଶ । ରାଜନୈତିକ ଦଳ ଓ ବିଭିନ୍ନ ସାମାଜିକ ସଂଗଠନ ବି ପ୍ରତିବାଦ କରିଛନ୍ତି । ପଶ୍ଚିମବଙ୍ଗର ସରକାର, ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ବୋଲି ଅଭିଯୋଗ ଆଣିଛନ୍ତି।

ଓଡ଼ିଆ ଝିଅ ଦୁଷ୍କର୍ମ ଘଟଣାକୁ ନେଇ ମହିଳା କମିସନ ଅଧ୍ୟକ୍ଷା ପଶ୍ଚିମବଙ୍ଗ ସରକାର ଉପରେ ବର୍ଷିଛନ୍ତି। ପୀଡ଼ିତାଙ୍କ ସହ କଥା ହେବା ସହ ତୁରନ୍ତ ନ୍ୟାୟ ଦେବାକୁ ଦାବି କରିଛନ୍ତି । ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ପାଇବା ପରେ ୩ ଜଣଙ୍କୁ ବାନ୍ଧିଛି ପୁଲିସ। କୋର୍ଟରେ ହାଜର ପରେ ଅଭିଯୁକ୍ତଙ୍କୁ ୧୦ଦିନିଆ ରିମାଣ୍ଡରେ ନେବା ସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଚି।

Leave a Reply

Your email address will not be published. Required fields are marked *