ଦୀପାବଳିରେ ଓଡିଶାରେ ତାଣ୍ଡବ ରଚିବ ବାତ୍ୟା !

ଅଶାନ୍ତ ହେଲାଣି ବଙ୍ଗୋପସାଗର । ସମୁଦ୍ର ଭିତରେ ସୃଷ୍ଟି ହେଉଛି ବାତ୍ୟା । ଆସନ୍ତା ୨୧ ତାରିଖ ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପକ୍ଷେତ୍ର । ଏହା ପଶ୍ଚିମ- ଉତ୍ତରପଶ୍ଚିମ ଦିଗକୁ ଗତି କରି ଘନୀଭୂତ ହୋଇ ଅବପାତର ରୂପ ନେବ । ଯାହା ପରେ ଦୁଇଟି ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଭଳି କିଛି ଆକଳନ କରିଛି ଆମେରିକାର GFS ମଡେଲ୍ । ଆଉ ଏବେ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ସମାନ ଆକଳନ କରୁଛି ।

୨୧ରେ ଲଘୁଚାପ ଏବଂ ୨୩ରେ ଅବପାତରେ ପରିଣତ ହେବ । ପରେ ଏହା ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଉପକୂଳ ମୁହାଁ ହେବ । କିନ୍ତୁ ଓଡିଶା ପାଇଁ କୌଣସି ପ୍ରକାର ସତର୍କ ସୂଚନା ଜାରି କରାଯାଇ ନଥିବା ଆଇଏମଡି ପକ୍ଷରୁ କୁହାଯାଇଛି । ଲଘୁଚାପ ସୃଷ୍ଟି ହେବା ପରେ ଏହାର ତୀବ୍ରତା ନେଇ ଆକଳନ କରାଯାଇପାରିବ।

ଯେହେତୁ ଅକ୍ଟୋବରରେ ଲଘୁଚାପ ଅବପାତର ରୂପ ନେଉଛି ତେଣୁ ବାତ୍ୟା ହେବାର ଭୟ ବଢିଛି । କାରଣ ୨୬ ବର୍ଷ ତଳେ ଏହି ଅକ୍ଟୋବର ମାସରେ ମହାବାତ୍ୟା ଯେଉଁ ଧ୍ଵଂସଲୀଳା ରଚିଥିଲା ତାହା ଏପର୍ଯ୍ୟନ୍ତ ବି ଓଡ଼ିଶାବାସୀଙ୍କ ମନରୁ ଲିଭିନି. ୧୯୯୯ ମସିହା ଅକ୍ଟୋବର ମାସ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଦୁଇଟି ଶକ୍ତିଶାଳୀ ବାତ୍ୟା ।

ଗୋଟିଏ ଅକ୍ଟୋବର ୧୭ରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ସ୍ଥଳଭାଗ ଛୁଇଁଥିଲା । ଅନ୍ୟଟି ସବୁଠାରୁ ଶକ୍ତିଶାଳୀ ମହାବାତ୍ୟା ଭାବେ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିଲା । ଯାହା ଅକ୍ଟୋବର ୨୯ରେ ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳରେ ସ୍ଥଳଭାଗ ଛୁଇଁଥିଲା । ଯାହା ପୁରା ଓଡ଼ିଶାରେ ପ୍ରଳୟ ରଚିଥିଲା । ଆଉ ଏବେ ପୁଣି ଅକ୍ଟୋବରରେ ଲଘୁଚାପ ସୃଷ୍ଟି ହେଉଥିବାରୁ ଲୋକଙ୍କ ମନରେ ଛନକା ପସିଲାଣି ।

Leave a Reply

Your email address will not be published. Required fields are marked *