ମନୋଜ ଆହୁଜା ହେଲେ ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ମନୋଜ ଆହୁଜା ଆଜି ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ମନୋଜ ଆହୁଜାଙ୍କ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ (ଜିଏ) ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।୧୯୯୦ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜା ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ। ସେ କେନ୍ଦ୍ର କୃଷି ଓ କୃଷକ ସଶକ୍ତୀକରଣ ସଚିବ ଥିଲେ। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଜୁନ୍ ୩୦ ତାରିଖରେ ଅବସର ନେବେ। ସେ ଅବସର ଗ୍ରହଣ କରିବା ପରେ ମନୋଜ ଆହୁଜା ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ। ମୁଖ୍ୟ ଶାସନ ସଚିବ ସହିତ ମନୋଜ ଆହୁଜା ସାଧାରଣ ପ୍ରଶାସନ (ଜିଏ) ଓ ସାଧାରଣ ଅଭିଯୋଗ (ପିଜି)ର ସଚିବ ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିବେ। କେନ୍ଦ୍ରୀୟ ଡେପୁଟେସନରେ ଥିବା ମନୋଜ ଆହୁଜାଙ୍କୁ ଓଡ଼ିଶା ଫେରାଇବା ପାଇଁ ରାଜ୍ୟର ପ୍ରଥମ ବିଜେପି ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। କେନ୍ଦ୍ର ସରକାର ଶ୍ରୀ ଆହୁଜାଙ୍କ ଗୃହ କ୍ୟାଡରକୁ ଫେରିଯିବାକୁ ଅନୁମତି ଦେଇଥିଲେ। ତେଣୁ ଆଶା କରାଯାଉଥିଲା ତାଙ୍କୁ ମୁଖ୍ୟ ଶାସନ ସଚିବ କରିବା ପାଇଁ ରାଜ୍ୟ ସରକାର ମନସ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *