ପ୍ରତୀକ୍ଷାର ଅନ୍ତ ଘଟିଲା , ଦୀର୍ଘ ୪୬ବର୍ଷ ପରେ ଖୋଲିଲା ରତ୍ନଭଣ୍ଡାର

ପୁରୀ,୧୪/୭: ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଦୀର୍ଘ ୪୬ ବର୍ଷ ପରେ ଖୋଲିଲା ରତ୍ନଭଣ୍ଡାର। ରବିବାର ଅପରାହ୍ନ ୧ଟା ୨୮ ଶୁଭମୁହୂର୍ତ୍ତରେ ଖୋଲିଛି ରତ୍ନଭଣ୍ଡାର । ପୂର୍ବରୁ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ଠିକ୍‌ ସମୟରେ ଖୋଲିଛି ରତ୍ନଭଣ୍ଡାର । ପ୍ରଥମେ ବାହାର ଭଣ୍ଡାର ଦ୍ୱାର ଖୋଲାଯାଇଥିଲା । ଏହା ପରେ ଭିତର ରତ୍ନଭଣ୍ଡାର ଦ୍ୱାର ଖୋଲାଯିବ। ଏ ନେଇ ପ୍ରକ୍ରିୟା ଜାରି ରହିଛି । ତେବେ ଆଜି ଗଣତି ହେବ ନାହିଁ କେବଳ ଯାଞ୍ଚ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି।ରତ୍ନଭଣ୍ଡାର ଭିତରକୁ ୧୧ ଜଣ ସଦସ୍ୟ ଯାଇଛନ୍ତି । ଏମାନଙ୍କ ମଧ୍ୟରେ ଯାଞ୍ଚ କମିଟିର ୨ ଜଣ ସଦସ୍ୟ ଜଷ୍ଟିସ ରଥ ଓ ଡାକ୍ତର ସିବିକେ ମହାନ୍ତି ଭିତରକୁ ଯାଇଛନ୍ତି । ଏଥିସହ ଗଜପତି ମହାରାଜାଙ୍କ ପ୍ରତିନିଧି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ , ଏଏସ୍‌ଆଇ ଅଧୀକ୍ଷକ ଡିବି ଗଡ଼ନାୟକ ରତ୍ନଭଣ୍ଡାର ସବ୍‌ କମିଟି ସଦସ୍ୟ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଭିତରକୁ ଯାଇଥିବାର ଜଣାପଡ଼ିଛି। ସୂଚନାଯୋଗ୍ୟ, ଶେଷ ଥର ପାଇଁ ୧୯୭୮ରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା।