ଅନଲାଇନ ଗେମରୁ କୋଟିପତି

କେନ୍ଦୁଝର, ୨୯/୩ : ରାତାରାତି ବଦଳିଗଲା ଭାଗ୍ୟ। ଦିନ ମଜୁରିଆରୁ ବନିଗଲେ କୋଟିପତି। ଯାହା କେବେ ସ୍ୱପ୍ନରେ ମଧ୍ୟ ଭାବିନଥିଲେ ରାତି ପାହିଲା ବେଳକୁ ସେଇଆ ସମ୍ଭବ ହୋଇଯାଇଛି। ହଁ ଅନଲାଇନ ଗେମରେ ଜ୍ୟାକପଟ୍‌ ଲାଗିବା ପରେ ତିନି କୋଟି ଟଙ୍କା ସହ ଗୋଟିଏ ମହେନ୍ଦ୍ର ଥର୍‌ ଗାଡି ଜିତିଛନ୍ତି ଜଣେ ୨୯ ବର୍ଷୀୟ ଯୁବକ।ଆଉ ସେ ଯୁବକ ଜଣକ କୌଣସି ବାହାର ରାଜ୍ୟର ନୁହେଁ ବରଂ ଆମ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ଚମକପୁର କ୍ଷେତ୍ରର ରେଭେନସାପୁର ଗ୍ରାମର ଗୁରୁଚରଣ ଜମୁଦା।

ଏହି ଘଟଣାକୁ ନେଇ ଗୁରୁଚରଣଙ୍କ ପରିବାର ସହ ଅଞ୍ଚଳେରେ ଖୁସିର ଲହରୀ ଖେଳି ଯାଇଛି।ତେବେ ପ୍ରକୃତରେ ଗୁରୁଚରଣ ହେଉଛନ୍ତି ଜଣେ ଦିନ ମଜୁରିଆ। ଅନ୍ୟ ଘରେ ମଜୁରୀ ଲାଗି ନିଜ ପରିବାର ଚଳାନ୍ତି। ହେଲେ ସେଥିରେ ଘରର ଆର୍ଥିକ ସ୍ଥିତି ସୁଦୃଢ ହୋଇପାରେନାହିଁ। ଆର୍ଥିକ ମାନ୍ଦାବସ୍ଥାରୁ ଗୁରୁଚରଣ ନିଜ ଏକ ଘର ନିର୍ମାଣ କାର୍ଯ୍ୟ ଅଧାରୁ ବନ୍ଦ କରି ରଖିଥିଲେ।ଅଭାବ ଅସୁବିଧା କାରଣରୁ ୨୦୨୪ ରେ ଆରମ୍ଭ କରିଥିଲେ ଅନଲାଇନ୍‌ ଆପ୍‌ ସହ ମିତ୍ରତା। ଗୁରୁଚରଣ ଗତବର୍ଷ ଜୁନ ମାସରେ ଅନଲାଇନ୍‌ ବ୍ୟାଟିଂ ଆପ୍‌ ସହ ଯୋଡି ହୋଇଥିଲେ। ଏହା ଶିଖିବା ପାଇଁ କିଛି ମାସ ୟୁଟ୍ୟୁବରେ ଏହା ବିଷୟରେ ତଥ୍ୟ ନେଇ ବ୍ୟାଟିଂ ଆପ୍‌ରେ ପ୍ରୟାସ କରିଲେ।

ଗତ ୨୫ ତାରିଖ ଦିନ ଗୁଜୁରାଟ ବନାମ ପଞ୍ଜାବ ଆଇପିଏଲ ମ୍ୟାଚରେ ମାତ୍ର ୪୯ ଟଙ୍କା ଲଗାଇ ଶୋଇ ପଡିଥିଲେ ଗୁରୁଚରଣ। ଅଧା ରାତିରେ ନିଦ ଭାଙ୍ଗିବାରୁ ଗୁରୁଚରଣ ଆପ୍‌ ଖୋଲି ଯାହା ଦେଖିଲେ ତାହା ତାଙ୍କ ଆଖିକୁ ବିଶ୍ୱାସ ହେଲା ନାହିଁ।ତୁରନ୍ତ ଯାଇ ସେ ପାଖ ଘରେ ଥିବା ବଡ଼ ଭାଇଙ୍କୁ ନିଜ ମୋବାଇଲ ଦେଖାଇଲେ। ୱାଲଟରେ ତିନି କୋଟି ଟଙ୍କା ଆସିଥିବା ବଡ ଭାଇ ଦେଖି କହିବାରୁ ଜ୍ୟାକପଟ୍‌ ଲାଗିଥିବା ଖୁସିରେ ଭାଇକୁ କୁଣ୍ଢେଇ ପକାଇଥିଲେ ଗୁରୁଚରଣ।ଜ୍ୟାକପଟ୍‌ ଲାଗିବା ପରେ ମୁମ୍ବାଇରୁ ଅନଲାଇନ୍‌ ଆପ୍‌ର ମ୍ୟାନେଜର ଗୁରୁଚରଣକୁ ଫୋନ ଓ ଇ-ମେଲ ଦ୍ୱାରା ଅଭିନନ୍ଦନ ଜଣାଇବା ସହ ଜ୍ୟାକପଟ୍‌ ଜିତିବା ଖବର ଦେବା ପରେ ପରିବାରରେ ଏବେ ଖୁସିର ପରିବେଶ।

Leave a Reply

Your email address will not be published. Required fields are marked *