ଦିଲ୍ଲୀରେ ଓଡ଼ିଶା କାଡରର ପଦାଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ/ଭୁବନେଶ୍ବର, ୨୮ /୭ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟରତ ଉଚ୍ଚ ପଦାଧିକାରୀମାନଙ୍କର ସହଯୋଗ କାମନା କରିଛନ୍ତି। ଗତକାଲି ନୀତି ଆୟୋଗ ବୈଠକରେ ଯୋଗ ଦେବା ପରେ ଆଜି ଓଡ଼ିଶା ଭବନରେ କେନ୍ଦ୍ରରେ କାର୍ୟ୍ୟରତ ଓଡ଼ିଶା କ୍ୟାଡର ଅଧିକାରୀମାନଙ୍କ ଏକ ବୈଠକର ଆୟୋଜନ କରାଯାଇଥିଲା। ଏଥିରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଯୋଗ ଦେଇଥିଲେ। ନୀତି ଆୟୋଗର ବୈଠକରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ଯେଉଁ ସବୁ ପ୍ରସ୍ତାବ ରଖିଥିଲେ ସେସବୁ ତ୍ୱରିତ କାର୍ଯ୍ୟାନ୍ଵୟନ ପାଇଁ ସେ ଏହି ଅଧିକାରୀମାନଙ୍କ ସହଯୋଗ ଲୋଡିଥିଲେ। ଏକ ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ ଏହି ସବୁ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଯୋଗ ଓ ସମନ୍ବୟର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।