ଅମ୍ବାଲାରୁ ଅଲିମ୍ପିକ୍ସ ପୋଡିୟମ୍‌

ପ୍ୟାରିସ୍, ୩୧/୭ : ୧୦ ମିଟର ଏୟାର ପିସ୍ତଲର ମିଶ୍ରିତ ବର୍ଗରେ ମନୁ ଭାକରଙ୍କ ସହ ଭାରତକୁ କାଂସ୍ୟ ପଦକ ଉପହାର ଦେଇଥିବା ସରବଜୋତ ସିଂହ ନାଟକୀୟ ଢଙ୍ଗରେ ଜିରୋରୁ ହିରୋ ପାଲଟିଛନ୍ତି। ଶନିବାର ପୁରୁଷ ୧୦ ମିଟର ଏୟାର ପିସ୍ତଲର ଯୋଗ୍ୟତା ପର୍ଯ୍ୟାୟରେ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରି ଜର୍ମାନୀର ରବିନ ୱାଲଟରଙ୍କଠାରୁ ହାରି ଯାଇଥିଲେ ସେ। ସେଥିପାଇଁ ଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଥିଲେ। ନିଜର ଏହି ଅପ୍ରତ୍ୟାଶିତ ପରାଜୟ ତାଙ୍କୁ ଏତେ ବାଧିଥିଲା ଯେ ସୁଟିଂ ରେଞ୍ଜ୍‌ରେ ହିଁ କାନ୍ଦି ପକାଇଥିଲେ ସେ। ହେଲେ ସେହି ଦିନ ସଂଧ୍ୟାରେ ପିତା ଜତିନ୍ଦର ସିଂହଙ୍କଠାରୁ ପାଇଥିବା ଏକ ଫୋନ୍ କଲ୍ ପରେ ଆତ୍ମବିଶ୍ବାସ ଫେରି ପାଇଥିଲେ ସରବଜୋତ। ମଙ୍ଗଳବାରର ମିଶ୍ରିତ ଯୁଗଳ ତୃତୀୟ ଓ ଚତୁର୍ଥ ସ୍ଥାନ ମ୍ୟାଚ୍‌ର ପ୍ରଥମ କିଛି ରାଉଣ୍ଡ୍‌ରେ ମଧ୍ୟ ସେତେଟା ଭଲ କରିପାରି ନଥିଲେ ସେ। ତେବେ ପରବର୍ତ୍ତୀ ରାଉଣ୍ଡ୍‌ଗୁଡ଼ିକରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ମନୁଙ୍କୁ ପୂର୍ଣ୍ଣ ସମର୍ଥନ ଦେବା ସହ ଅଲିମ୍ପିକ୍ସ ପୋଡିୟମ୍‌ରେ ଛିଡ଼ା ହେବାର ଗୌରବ ହାସଲ କରିଥିଲେ। ପ୍ରଶିକ୍ଷକ ଅଭିଷେକ ରାଣାଙ୍କ ଉପସ୍ଥିତି ଓ ମାର୍ଗଦର୍ଶନ ମଧ୍ୟ ତାଙ୍କ ଆତ୍ବବିଶ୍ବାସକୁ ବଢ଼ାଇଥିଲା। ସେଥିପାଇଁ ସରବଜୋତ ପଦକ ଜିତିବା ପରେ ଅଭିଷେକ ମଧ୍ୟ ଭାବବିହ୍ବଳ ‌ହୋଇଯାଇଥିଲେ। ମନୁ ଭାକର ଓ ସରବଜୋତ ନିଜର ୨୬ ସଟ୍‌ରୁ ଅନ୍ୟୂନ ୧୯ଟି ୧୦ ପଏଣ୍ଟ୍‌ ପାଇଥିଲେ। ପ୍ରତିପକ୍ଷ ଦକ୍ଷିଣ କୋରିଆ ଯୋଡ଼ି ମାତ୍ର ୧୨ଥର ଏହି ସଫଳତା ଲାଭ କରିଥିଲା। ଶନିବାରର ବିଫଳତାକୁ ଭୁଲି ସରବଜୋତ ସାଥୀ ମନୁ ଭାକରଙ୍କ ସହ ମିଶି ସୋମବାର ଯୋଗ୍ୟତା ପର୍ଯ୍ୟାୟର ତୃତୀୟ ସ୍ଥାନରେ ରହିଥିଲେ ଓ ତୃତୀୟ/ଚତୁର୍ଥ ସ୍ଥାନ ଲଢ଼େଇ ଲାଗି ଟିକେଟ ହାସଲ କରିଥିଲେ।

Leave a Reply

Your email address will not be published. Required fields are marked *