ପିୟୁଷଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ଗାଡ଼ି ନେଲେ- ଟଙ୍କା ନେଲେ- ଶପଥ କଲେ ଏବେ ମନା କରୁଛନ୍ତି

ଭୁବନେଶ୍ବର,୨୭/୨ : ବିବାଦ ଘେରରେ ଯାତ୍ରା କଳାକାର ପିୟୁଷ ତ୍ରିପାଠୀ । ଟଙ୍କା ନେଲେ, ଗାଡ଼ି ନେଲେ, ଜଗନ୍ନାଥ ମନ୍ଦିରରେ ଶପଥ କଲେ ଏବେ ମନା କରୁଛନ୍ତି । ଏଭଳି କିଛି ସଙ୍ଗୀନ ଅଭିଯୋଗ କରିଛନ୍ତି ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢି । ଗତକାଲି ଯାତ୍ରା ସିଂହାବାହିନୀ ପକ୍ଷରୁ ସୋସିଆଲ ମିଡିଆରେ ପିୟୁଷ ତ୍ରିପାଠୀଙ୍କ ନାମ ଷ୍ଟାରକାଷ୍ଟରେ ପ୍ରକାଶ କରିବାରୁ ଦେଖାଦେଇଛି ବିବାଦ ।

ଏହାପରେ ପିୟୁଷ ସୋସିଆଲ ମିଡ଼ିଆରେ ଏକ ବାର୍ତ୍ତା ଦେଇ କହିଛନ୍ତି କି ମୁଁ କେବେ ସିଂହବାହିନୀକୁ ଯିବି ନାହିଁ । ସେ କହିଛନ୍ତି, ଗତକାଲି ରାତିରେ ଯାତ୍ରା ସିଂହବାହିନୀ ତାଙ୍କ ଅଫିସିଆଲ ପେଜରେ ପୋଷ୍ଟ କରିଛନ୍ତି ମୁଁ ଆସନ୍ତା ବର୍ଷ ସିଂହବାହିନୀ ଯିବି । କଥାଟା ସମ୍ପୂର୍ଣ୍ଣ ସତ୍ୟ ନୁହେଁ କି ସମ୍ପୂର୍ଣ୍ଣ ମିଥ୍ୟା ମଧ୍ୟ ନୁହେଁ । କହି ରଖିବାକୁ ଚାହୁଁଛି କି ସେ ଅନୁଷ୍ଠାନକୁ ଯିବା ପାଇଁ ବାବୁଙ୍କ ସହ ମୋର କଥାବାର୍ତ୍ତା ହୋଇଥିଲା ଚୁକ୍ତି ମଧ୍ୟ ହୋଇଥିଲା। କିନ୍ତୁ ସମୟାନୁକ୍ରମେ ମାଲିକ ଏବଂ କଳାକାରଙ୍କ ମଧ୍ୟରେ ଯେଉଁ ବୁଝାମଣା ରହିବା କଥା ତାହା ଘୋର ଅଭାବ ରହିଲା। ଯାହା ଫଳରେ ସୁସ୍ଥ ମସ୍ତିକରେ ସେହି ଅନୁଷ୍ଠାନରେ ବର୍ଷେ କାମ କରିବା ଏବଂ ଶତ ପ୍ରତିଶତ ଦେବା ମୁଁ ସଠିକ୍ ଭାବିଲି ନାହିଁ । ତେଣୁ ମୁଁ ବାବୁ ଆପଣଙ୍କୁ ମନା କଲି , ଯେ ମୁଁ ଆସିପାରିବି ନାହିଁ । କିନ୍ତୁ ଆପଣ ମୋ କଥାକୁ ବିଶ୍ବାସ ନ କରି ମୋ ଫଟୋକୁ ଆପଣ ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ଯ ଦ୍ବାରା ମୋତେ ନିନ୍ଦାର ପାତ୍ର କରାଇଲେ । ତଥାପି ମୁଁ ସୋସିଆଲ ମିଡ଼ିଆ ମାଧ୍ୟମରେ କହିବା ପାଇଁ ଚାହେଁ କି ଆସନ୍ତାବର୍ଷ କାହିଁକି ମୁଁ ଯାତ୍ରାରେ ଥିବା ପର୍ଯ୍ୟନ୍ତ ସିଂହବାହିନୀ ସହ ନାହିଁ । ମୁଁ ଅପେରା ସୂର୍ଯ୍ୟ ମନ୍ଦିରରେ କାର୍ଯ୍ୟରତ ଥିଲି, ଏବେ କାର୍ଯ୍ୟରତ ଅଛି, ଆସନ୍ତାବର୍ଷ ମଧ୍ୟ କାର୍ଯ୍ୟରତ ରହିବି।

ଅନ୍ୟପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢି । ସେ କହିଛନ୍ତି, ପିୟୁଷ ବାବୁ ଗତ ନଭେମ୍ବରରେ ମୋତେ ହଠାତ୍ ଫୋନ୍ କଲେ । ବାବୁ ମୁଁ ଆପଣଙ୍କ ପାର୍ଟିରେ କାମ କରିବାକୁ ଚାହୁଁଛି । ମାତ୍ର ମୁଁ କହି ରଖିବାକୁ ଚାହୁଁଛି କି ଆସନ୍ତାବର୍ଷ ପାଇଁ କାହ୍ନା ବାବୁଙ୍କ ସହ ଆମର କଥା ହୋଇଥିଲା ଏବଂ ଏହାସହ ନାଟକ ମଧ୍ୟ ଡିକ୍ଲାର ହୋଇଥିଲା । ଏହା ସତ୍ତେ୍ବ ଏକ ହୋଟେଲରେ ଆଲୋଚନା ହେଲା । ସେଠି ଫାଇନାଲ୍ ହୋଇଥିଲା, ସେ ମୋ ପାର୍ଟିରେ ୫ବର୍ଷ ପର୍ଯ୍ୟନ୍ତ ରହିବେ । ଏହାପରେ ସେଠାରେ ଏଗ୍ରିମେଣ୍ଟ କଲେ । ସେଠାରେ ଅଗ୍ରୀମ ଭାବେ ତାଙ୍କୁ ଏକ ଗାଡ଼ି ଦେବାକୁ ସେ କହିଥିଲେ । ଏହାସହ ବାର୍ଷିକ ୭୦ଲକ୍ଷ ଟଙ୍କା ଦେବାକୁ କହିଥିଲେ । ସେ ଗାଡ଼ି ଆମ ସଂସ୍ଥା ନାଁରେ ଅଛି । ୧୧ଡିସେମ୍ବରରେ ଆମଠାରୁ ଗାଡ଼ି ନେଇଛନ୍ତି। ପିୟୁଷ ବାବୁଙ୍କୁ ମୁଁ ୫୫ଲକ୍ଷ ଟଙ୍କା ଦେଇଛି । ୩୦ଲକ୍ଷ ଟଙ୍କା ଆକାଉଣ୍ଟରେ ନେଇଛନ୍ତି । ନଗଦ ୨୫ଲକ୍ଷ ଟଙ୍କା ନେଇଛନ୍ତି । ଗାଡ଼ି ବାବଦରେ ଏଗ୍ରିମେଣ୍ଟ ହୋଇଛି । ୫ବର୍ଷ ପାଇଁ ସିଂହବାହିନୀରେ ରହିବି ଏବଂ ଗାଡି ସେହି କ୍ରମରେ ନେଇଛି ବୋଲି ସେଥିରେ ଲେଖା ଅଛି । ସେ ତାଙ୍କ ପିଲାମାନଙ୍କ ମୁଣ୍ଡ ଛୁଇଁ ମଧ୍ୟ କହିଛନ୍ତି । ଖଣ୍ଡଗିରି ମେଳାରେ ସେ ମୋ ସହ ପୁରୀ ଯାଇ ସେଠାରେ ପ୍ରତିଜ୍ଞା କରିଥିଲେ । ମୋ ପାଖରେ ପ୍ରତିବର୍ଷ ୭୦ଲକ୍ଷରେ ଚୁକ୍ତି କରିଥିଲେ । ସେ କାଲି ମୋ ଫୋନ ଉଠାଇନଥିଲେ । ବର୍ତ୍ତମାନ ଇଜ୍ଜତର କଥା ମୋର । ମୋ ସମ୍ମାନକୁ ଯଦି ବାଧେ ମୁଁ କ’ଣ ବି କରିପାରେ । ସ୍ନାନବେଦୀରେ ବସି ମିଛ କହୁଛନ୍ତି ପିୟୁଷ ତାହା ମୋତେ ଆଶ୍ଚର୍ଯ୍ୟ ଲାଗୁଛି ।

ତେବେ ଏବେ ଅପେକ୍ଷା ଆସନ୍ତା ବର୍ଷ ପିୟୁଷ କେଉଁ ପାର୍ଟିକୁ ଯିବେ । ଯାତ୍ରା ଜଗତରେ ଟଙ୍କା ନେଣଦେଣ ଏହା କିଛି ନୂଆ ନୁହେଁ । ମାତ୍ର ପିୟୁଷ କ୍ଷେତ୍ରରେ ଦେଖାଦେଇଥିବା କଥା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ସମସ୍ତ ଦର୍ଶକଙ୍କ ନଜର ପିୟୁଷଙ୍କ ଭବିଷ୍ୟତ ଉପରେ । ତାଙ୍କ ଉପରେ ଲାଗିଥିବା ଏହି କଳଙ୍କ କେମିତି ଆଡ଼େଇବେ ତାହା ଏବେ ଦେଖିବାକୁ ବାକି ରହିଲା ।