ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍‌

ସମ୍ବଲପୁର, ୩୧/୭ : ବନ୍ଦ ହେଲା ହୀରାକୁଦର ଦୁଇଟି ଗେଟ୍। ବର୍ତ୍ତମାନ ୧୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ବାମ ପାର୍ଶ୍ବରେ ୧୨ ଓ ଦକ୍ଷିଣ ପାର୍ଶ୍ବରେ ୬ଟି ଗେଟ୍ ଖୋଲା ରହିଛି। ଏବେ ହୀରାକୁଦର ଜଳସ୍ତର ୬୧୧.୮୫ ଫୁଟ୍ ରହିଛି। ୧ ଲକ୍ଷ ୫୭ ହଜାର ୨୭୨ କ୍ୟୁସେକ ଜଳ ବର୍ତ୍ତମାନ ଡ୍ୟାମ୍ ମଧ୍ୟକୁ ପ୍ରବେଶ କରୁଥିବାବେଳେ ୩ ଲକ୍ଷ ୯ ହଜାର ୭୪୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବା ସୂଚନା ମିଳିଛି। ଗତ ରବିବାର ଦିନ ପର୍ଯ୍ୟାୟକ୍ରମେ ୨୦ଟି ଗେଟ୍‌ ଖୋଲା ଯାଇଥିଲା। ସେପଟେ କଟକ ମୁଣ୍ଡଳୀରେ ମହାନଦୀର ଜଳସ୍ତର କମୁଛି। ସକାଳ ୬ଟା ସୁଦ୍ଧା ୪ ଲକ୍ଷ ୮୦ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଅପଷ୍ଟ୍ରିମ୍ ରେ ୮୭.୮୦ ଏବଂ ଡାଉନ୍ ଷ୍ଟ୍ରିମରେ ୮୪.୯୦ ଫୁଟ୍ ଜଳସ୍ତର ରହିଛି। ମଙ୍ଗଳବାର ରାତିରେ ୪ ଲକ୍ଷ ୮୫ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା। ଜଳସ୍ତର କମିଥିବାରୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା ନାହିଁ।