ପୁଣି ମନ ଜିଣିଲେ ମନୁ: ସରବଜୋତଙ୍କ ସହ ଜିତିଲେ କାଂସ୍ୟ

ପ୍ୟାରିସ୍‌, ୩୧/୭ : ପ୍ୟାରିସ୍ ଅଲିମ୍ପିକ୍ସ ସୁଟିଂ ରେଞ୍ଜ୍‌ରେ ମନୁଙ୍କ ମିରାକଲ୍ ଜାରି ରହିଛି। ଐତିହାସିକ ତଥା ପରାକ୍ରମୀ ପ୍ରଦର୍ଶନ ସହ ଭାରତୀୟ କ୍ରୀଡ଼ା ଇତିହାସରେ ସଫଳତା ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି ୨୨ ବର୍ଷୀୟା ମହିଳା ସୁଟର୍‌ ମନୁ ଭାକର। ନିଜ ଲକ୍ଷ୍ୟଭେଦୀ ବନ୍ଧୁକଚାଳନା ଦକ୍ଷତାରେ ସମସ୍ତଙ୍କୁ ଚକିତ କରି ତିନି ଦିନ ଭିତରେ ଦୁଇଟି ଅଲିମ୍ପିକ୍ସ ପଦକ ଜିତିବାର ବିରଳ ତଥା ଅନନ୍ୟ ସଫଳତା ଲାଭ କରିଛନ୍ତି ଏହି ହରିୟାଣା ଝିଅ। ରବିବାର ପ୍ରଥମ ଭାରତୀୟ ମହିଳା ଭାବେ ୧୦ ମିଟର ଏୟାର ପିସ୍ତଲର ବ୍ୟକ୍ତିଗତ ବର୍ଗରେ କାଂସ୍ୟ ପଦକ ଜିତିଥିଲେ ମନୁ। ମଙ୍ଗଳବାର ଏହି ବର୍ଗର ମିଶ୍ରିତ ଯୁଗଳରେ ମଧ୍ୟ ସେହି ସଫଳତା ଦୋହରାଇଛନ୍ତି ସେ। ଅନ୍ୟତମ ଯୁବ ଭାରତୀୟ ସୁଟର୍ ସରବଜୋତ ସିଂହଙ୍କ ସହ ମିଶି ଚତୁର୍ଥ ଦିନରେ କୋରିଆକୁ ୧୬-୧୦‌ରେ ହରାଇ ଭାରତକୁ ଦ୍ବିତୀୟ ପଦକ ଭେଟି ଦେଇଛନ୍ତି। ମନୁ ମଧ୍ୟ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବାରେ ସ୍ବାଧୀନ ଭାରତର ପ୍ରଥମ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି।

Leave a Reply

Your email address will not be published. Required fields are marked *