ବିଜେପିରେ ଯୋଗଦେଲେ କୁଡୁମୀ ନେତ୍ରୀ ମମତା ମହାନ୍ତ

ଭୁବନେଶ୍ବର,୧/୮ : ବୁଧବାର ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିବା ମମତା ମହାନ୍ତ ଆଜି ବିଜେପିରେ ଯୋଗଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମଲ୍‌ ହୋଇଛନ୍ତି। ବିଜେପିର ବରିଷ୍ଠ ବିଜେପି ନେତା ଅରୁଣ ସିଂ ପୁଷ୍ପଗୁଚ୍ଛ ଦେଇ ଶ୍ରୀମତୀ ମହାନ୍ତଙ୍କୁ ସ୍ୱାଗତ କରିଛନ୍ତି। ପ୍ରଭାରୀ ବିଜୟପାଲ୍‌ ସିଂ ତୋମାରଙ୍କ ସହ ବହୁ ନେତା ଉପସ୍ଥିତ ଥିଲେ।ସୂଚନା ଅନୁସାରେ ନିର୍ବାଚନ ପରେ ବିଜୁ ଜନତା ଦଳକୁ ଏହା ବଡ଼ ଧକ୍କା । ଗତକାଲି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ବିଜେଡି ସାଂସଦ ମମତା ମହାନ୍ତ । ରାଜ୍ୟସଭା ସାଂସଦ ପଦ ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ସେ ଇସ୍ତଫା ଦେଇଥିଲେ । ଏ ନେଇ ସୋସିଆଲ ମିଡିଆ ‘ଏକ୍ସ’ ହ୍ୟାଣ୍ଡେଲରେ ନିଜେ ସୂଚନା ଦେଇଥିଲେ ମମତା ।ଇସ୍ତଫାର କାରଣ ସମ୍ପର୍କରେ ମମତା ଦର୍ଶାଇଥିଲେ ଯେ, ବିଜେଡିରେ ସେ ଅଲୋଡ଼ା ହୋଇପଡ଼ିଥିଲେ ଏବଂ ଦଳ ତାଙ୍କ ସେବାର ଆବଶ୍ୟକତା ଅନୁଭବ କରୁନଥିଲା । ସେ ଲୋକଙ୍କ ନେତା ଏବଂ ଲୋକଙ୍କ ସେବା ହିଁ ତାଙ୍କର ମୁଖ୍ୟ ଧ୍ୟେୟ ବୋଲି ସେ ଉଲ୍ଲେଖ କରିଛନ୍ତି । ଏହି କାରଣରୁ ସେ ଆଉ ସେହି ଦଳରେ ରହିବାର ଆବଶ୍ୟକତା ଅନୁଭବ କରୁନାହାନ୍ତି ବୋଲି ଉଲ୍ଲେଖ କରିଥିଲେ ମମତା ।ମୟୂରଭଞ୍ଜ ଜିଲ୍ଲାର କୁଡ଼ୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ମମତା ମହାନ୍ତ ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୬ ଏପ୍ରିଲରେ ତାଙ୍କ କାର୍ଯ୍ୟକାଳ ସରିବାର ଥିଲା । ତେବେ ଏହାର ପ୍ରାୟ ୨୧ ମାସ ପୂର୍ବରୁ ସେ ରାଜ୍ୟସଭା ସଭ୍ୟ ପଦ ସହ ବିଜେଡି ମଧ୍ୟ ଛାଡ଼ିଛନ୍ତି । ସେପଟେ ମମତା ସାଂସଦ ପଦରୁ ଇସ୍ତଫା ଦେଇଥିବା ନେଇ ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନକଡ ସୂଚନା ଦେଇଥିଲେ। ମମତାଙ୍କ ଇସ୍ତଫା ପରେ ବିଜେଡିର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୯ରୁ ୮କୁ ଖସିଛି ।