ଶ୍ରୀମନ୍ଦିରରେ ଆୟୋଜିତ ହେବ ବନକଲାଗି ନୀତି, ଆସନ୍ତାକାଲି ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ, ୬/୮ : ମହାପ୍ରଭୁଙ୍କ ଆସନ୍ତାକାଲି ଶ୍ରାବଣ-ଶୁକ୍ଳ ତୃତୀୟା ତିଥିରେ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିଲାଗି ୪ ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଆସନ୍ତାକାଲି ଅପରାହ୍ନ ୫ ଟାରୁ ରାତି ୯ ଟା ପର୍ୟ୍ୟନ୍ତ ସାଧାରଣ ଭକ୍ତ ପାଇଁ ଶ୍ରୀ ମନ୍ଦିର ବନ୍ଦ ରହିବ। ଏହା ମହାପ୍ରଭୁଙ୍କ ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଯେପର୍ଯ୍ୟନ୍ତ ଏହି ନୀତି ଚାଲେ ସେହି ସମୟ ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିଥାଏ । ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ। ଦ୍ୱିତୀୟ ଭୋଗ ମଣ୍ଡପ ପରେ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ ।ସେହିପରି ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ମହାପ୍ରଭୁଙ୍କୁ ଲଗି ହେଉଥିବା ପ୍ରାକୃତିକ ରଙ୍ଗ ହେଉଛି ନାଲି, କଳା, ଧଳା, ହରିତାଳ, ହିଙ୍ଗୁଳ, କସ୍ତୁରୀ ପାରମ୍ପାରିକ ରଙ୍ଗରେ ସେବକମାନେ ମହାପ୍ରଭୁଙ୍କ ମୁଖ ସୃଙ୍ଗାର କରିବେ । ଏହା ମହାପ୍ରଭୁଙ୍କ ଗୁପ୍ତ ନୀତି ହେଉଥିବାରୁ ଜୟ ବିଜୟ ମୁଖ୍ୟ ଦ୍ୱାରକୁ ବନ୍ଦ କରାଯିବ ।

Leave a Reply

Your email address will not be published. Required fields are marked *