କିଏ ହେବ ଓଡ଼ିଶା କଂଗ୍ରେସର ମଙ୍ଗୁଆଳ ? ଚାଲିଛି ଅଙ୍କ କଷା

ଭୁବନେଶ୍ବର,୧୬/୮ : ରାଜ୍ୟ କଂଗ୍ରେସର କମାଣ୍ଡ କାହା ହାତରେ ରହିବ ତାକୁ ନେଇ ଚାଲିଛି ଅଙ୍କକଷା । କିଏ ହେବ କ୍ୟାପଟେନ ଛିଣ୍ଡୁନି ଅଙ୍କ । ବୈଠକ ପରେ ବୈଠକ ଚାଲୁଛି । ଗତ ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ହୋଇଛି । ପରେ ଦଳର ଅନ୍ଦର ମହଲରେ ଦେଖାଦେଇଥିଲା କମ୍ପନ । କେଉଁଥିପାଇଁ ଦଳର ଏଭଳି ସ୍ଥିତି ଉପୁଜିଲା ତାକୁ ନେଇ ଚାଲିଛି ତର୍ଜମା । ଦଳର ପରାଜୟ ପରେ ପିସିସିର ସବୁ କମିଟିକୁ ଏଆଇସିସି ଭାଙ୍ଗି ଦେଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଅଜୟ କୁମାର ହେବା ପରେ କଂଗ୍ରେସ କର୍ମୀଙ୍କ ମନରେ ଆଶା ସଞ୍ଚାରି ଉଠିଥିଲା କି ଏଥର କଂଗ୍ରେସ ଆଗେଇବ । କିନ୍ତୁ ନିର୍ବାଚନରେ ତାହା ଫଳପ୍ରଦ ହେଲା ନାହିଁ। ତାଙ୍କର ନିଆରା ଷ୍ଟାଇଲ୍ ଦେଖି କେହି କେହି ତ କହିଥିଲେ ଏଥର ରାଜ୍ୟରେ କଂଗ୍ରେସର ପଲ୍ଲା ଭାରି ରହିବ । ମାତ୍ର ବିଗତ ବର୍ଷ ପରେ ପୁଣି ଥରେ କଂଗ୍ରେସ ତୃତୀୟ ସ୍ଥାନରେ ରହି ନିଜକୁ ଆଶ୍ବସ୍ତି କରିଛି । ବିଜେପି ୧କୁ ଯାଇଥିବାବେଳେ ବିଜେଡି ୨ରେ ରହିଛି ଏବଂ କଂଗ୍ରେସକୁ ୩ରେ ଶାନ୍ତ୍ବନା ହେବାକୁ ପଡ଼ିଛି । ସବୁ ପରେ ଏବେ ଚିନ୍ତାରେ କଂଗ୍ରେସ କର୍ମୀ । ରାଜ୍ୟରେ କଂଗ୍ରେସର ଗତି କୁଆଡ଼େ ତାକୁ ନେଇ ଚାଲିଛି ତର୍ଜମା । ନିର୍ବାଚନର ପରାଜୟ ପରେ ଦଳ ଖୋଜୁଛି ନୂଆ ମଙ୍ଗୁଆଳ । ରେଶରେ ୪ନାଁ ସାମ୍ନାକୁ ଆସୁଛି । ମହମ୍ମଦ ମୋକିମ, ଜୟଦେବ ଜେନା, ଭକ୍ତ ଦାସ, ପ୍ରସାଦ ହରିଚନ୍ଦନଙ୍କ ଭଳି ହେଭିଓ୍ବେଟଙ୍କ ନାଁ ଏବେ ଲିଷ୍ଟରେ ଆସୁଛି । ମାତ୍ର ଏହା ପୂର୍ବରୁ ଓଡ଼ିଶା କଂଗ୍ରେସ ପାଇଁ ଏକ ଷ୍ଟିୟରିଂ କମିଟି ଗଠନ କରିଛି ଏଆଇସିସି। ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ଏହି ଷ୍ଟିୟରିଂ କମିଟି ଗଠନ ହୋଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ତାଙ୍କ ସମେତ ୧୪ ଜଣ ସଦସ୍ୟ ଅଛନ୍ତି। ଶ୍ରୀକାନ୍ତ ଜେନା, ରାମଚନ୍ଦ୍ର କାଡାମ, ଜୟଦେବ ଜେନା,ସପ୍ତଗିରି ଉଲ୍ଲାକା, ଅଶୋକ ଦାସ, ଭକ୍ତ ଦାସ, ଅନନ୍ତ ସେଠୀ, ମହମ୍ମଦ ମୋକିମ, ଦେବାଶିଷ ପଟ୍ଟନାୟକ, ବିଶ୍ବରଂଜନ ମହାନ୍ତି, ବଳଭଦ୍ର ମାଝୀ ଓ ସସ୍ମିତା ବେହେରା କମିଟିର ସଦସ୍ୟ ଅଛନ୍ତି। ଏଆଇସିସି ଆବାହକ ମହମ୍ମଦ ଶାହାନୱାଜ ଚୌଧୁରୀ ମଧ୍ୟ ଏହି କମିଟିରେ ସଦସ୍ୟ ଅଛନ୍ତି। କୁହାଯାଉଛି ଆଗାମୀ ଦିନରେ ଏହି କମିଟି ସ୍ଥିର କରିବ ରାଜ୍ୟ କଂଗ୍ରେସର କମାଣ୍ଡ କାହା ହାତରେ ରହିବ । ଅପେକ୍ଷା ନୂଆ ମଙ୍ଗୁଆଳ ହେବା ପରେ କିଭଳି ଭାବେ ନୂତନ ସରକାରଙ୍କୁ ଚେକ୍ ଦେବାକୁ ପ୍ରସ୍ତୁତ କରିବେ ବ୍ଲୁ ପ୍ରିଣ୍ଟ । ସରକରଙ୍କୁ ହରଡ଼ଘଣାରେ ପକାଇବାକୁ କ’ଣ ରହିବ ରଣନୀତି ।

Leave a Reply

Your email address will not be published. Required fields are marked *