ଜମ୍ମୁ-କଶ୍ମୀର ନିର୍ବାଚନ ପୂର୍ବରୁ ରାହୁଲ ରଖିଲେ ଏହି ସର୍ତ୍ତ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ,୨୨/୮: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ମିଳିତ ମେଣ୍ଟ ତଥା ଜାତୀୟ ସମ୍ମିଳନୀକୁ ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶ୍ରୀନଗରରେ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟ ମଧ୍ୟରେ ରାହୁଲ ଏକ ସର୍ତ୍ତ ରଖି କହିଛନ୍ତି, ‘କଂଗ୍ରେସ ମେଣ୍ଟ ଗଠନ କରିବ ସତ କିନ୍ତୁ ଏହାର କାର୍ଯ୍ୟକର୍ତ୍ତାଙ୍କ ସମ୍ମାନର ମୂଲ୍ୟରେ ନୁହେଁ ’କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଦୁଇ ଦିନିଆ ଗସ୍ତରେ ଯାଇ ଜମ୍ମୁ-କଶ୍ମୀରରେ ଅଛନ୍ତି। ଅନୁମାନ କରାଯାଉଛି ଯେ, ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ନେତା ଖୁବ୍‌ଶୀଘ୍ର ଜାତୀୟ ସମ୍ମିଳନୀ ସହିତ ପ୍ରି-ପୋଲ୍‌ ମେଣ୍ଟ ଶେଷ କରିବେ।

କର୍ମୀମାନଙ୍କୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ଜମ୍ମୁ-କଶ୍ମୀରରେ ଯଥାଶୀଘ୍ର ରାଜ୍ୟ ପ୍ରତିଷ୍ଠା କରିବା ଆମର ଏବଂ ଇଣ୍ଡିଆ ମେଣ୍ଟର ପ୍ରାଥମିକତା। ନିର୍ବାଚନ ପୂର୍ବରୁ ଏହା ଘଟିବ ବୋଲି ଆଶା କରାଯାଉଥିଲା, କିନ୍ତୁ ବର୍ତ୍ତମାନ ନିର୍ବାଚନ ଘୋଷଣା କରାଯାଇଛି। ଆଶା କରାଯାଉଛି ଯଥାଶୀଘ୍ର ରାଜ୍ୟତା ପୁନଃ ସ୍ଥାପିତ ହେବ ଏବଂ ଜମ୍ମୁ-କଶ୍ମୀରର ଲୋକମାନେ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ପୁନଃ ଫେରିପାଇବେ।ରାହୁଲ କହିଛନ୍ତି, ‘ସ୍ବାଧୀନତା ପରେ ଏହା ପ୍ରଥମ ଥର ପାଇଁ ଏକ ରାଜ୍ୟକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ଆମର ପ୍ରାଥମିକତା ହେଉଛି ଜମ୍ମୁ-କଶ୍ମୀର ଏବଂ ଲଦାଖର ଲୋକମାନଙ୍କର ଗଣତାନ୍ତ୍ରିକ ଅଧିକାର ଫେରାଇବା। ଜମ୍ମୁ-କଶ୍ମୀରର ପ୍ରତିନିଧିତ୍ୱ ଆମ ପାଇଁ ସର୍ବପ୍ରଥମ ଗୁରୁତ୍ୱପୂର୍ଣ୍ଣ ।

Leave a Reply

Your email address will not be published. Required fields are marked *