ତେଜୁଛି ରେଭେନ୍ସା ନାମ ପରିବର୍ତ୍ତନ ବିବାଦ , ସପକ୍ଷ ଓ ବିପକ୍ଷ ଦୁଇ ଗୋଷ୍ଠୀରେ ବିଭାଜନ

ଭୁବନେଶ୍ବର, ୪/୯ : ତୀବ୍ର ହେଉଛି ରେଭେନ୍ସା ବିଶ୍ଵବିଦ୍ୟାଳୟ ନାମ ପରିବର୍ତ୍ତନ ବିବାଦ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରେଭେନ୍ସାର ନାଁ ପରିବର୍ତ୍ତନ ବୟାନ ପରେ ତେଜୁଛି ରେଭେନ୍ସା ରାଜନୀତି । ଓଡ଼ିଆ ଅସ୍ମିତା କହି ଶାସନ ଗାଦିକୁ ଆସିଥିବା ବିଜେପି ଏବେ ରେଭେନ୍ସା ପାଇଁ ବ୍ୟାକଫୁଟରେ । ବୁଧବାର ଅନ୍ଧକାର ହେଇଥିଲା ରେଭେନ୍ସା ବିଶ୍ୱବିଦ୍ୟାଳୟ । ପୁରାତନ ଛାତ୍ର ଓ ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ବିଶ୍ୱବିଦ୍ୟାଳୟରେ ମସାଲ ଶୋଭାଯାତ୍ରା ବାହାରିଥିଲା । ନାଁ ପରିବର୍ତ୍ତନ ବୟାନକୁ ବିରୋଧ କରି ଶତାଧିକ ପୂର୍ବତନ ଓ ବର୍ତ୍ତମାନର ରେଭେନ୍ସା ଛାତ୍ରଛାତ୍ରୀ ମଶାଲ ଧରି ବାହାରିଥିଲେ । ରାଣୀହାଟ ଛକରୁ କଲେଜ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା ପରିକ୍ରମା କରିଥିଲେ। ସୂଚନା ଅନୁସାରେ, କଲିକତା ପ୍ରେସିଡେନ୍ସି ଅଧୀନରେ ଥିବା ଓଡ଼ିଶାରେ ୧୮୬୫ରୁ ୧୮୭୮ ମସିହା ଯାଏଁ ଅଫିସିଏଟିଂ କମିଶନର ଥିଲେ ଥୋମାସ ଏଡୱାର୍ଡ ରେଭେନ୍ସା । ସେ ଦାୟିତ୍ବ ନେବାର ପର ବର୍ଷ ଅର୍ଥାତ୍ ୧୮୬୬ରେ ପଡ଼ିଥିଲା ୯ ଅଙ୍କ ଦୁର୍ଭିକ୍ଷ । ଯେଉଁଥିରେ ପ୍ରାଣ ହରାଇଥିଲେ ପ୍ରାୟ ୩୦ ଲକ୍ଷ ଓଡ଼ିଆ। ଏହାର ୨ବର୍ଷ ପରେ ୧୮୬୮ ମସିହାରେ ଓଡ଼ିଶାରେ ଉଚ୍ଚଶିକ୍ଷା ସୁଯୋଗ ପାଇଁ କଟକ ଜିଲ୍ଲା ସ୍କୁଲ ବନିଥିଲା ରାଜ୍ୟର ପ୍ରଥମ କଲେଜ୍ । ସେତେବେଳେ ଏହାର ନାଁ କଟକ କଲେଜ ଥିବା ବେଳେ ପରେ ରେଭେନ୍ସାଙ୍କ ନାଁ ଅନୁସାରେ ନାମିତ ହୋଇଥିଲା। ତେବେ ଉଭୟ ଘଟଣାରେ ରେଭେନ୍ସାଙ୍କ ଭୂମିକା ଓ ଯୋଗଦାନକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । ଯାହାକୁ ନେଇ ସୋସିଆଲ ମିଡ଼ିଆଠାରୁ ଆରମ୍ଭ କରି ଗଣମାଧ୍ୟମରେ ବଡ଼ ବଡ଼ ସ୍ତମ୍ଭ ପ୍ରକାଶ ପାଉଛି ।

ସପକ୍ଷ ଏବଂ ବିପକ୍ଷ ଦୁଇ ଭାଗରେ ଏବେ ବିଭକ୍ତ ହୋଇଛନ୍ତି ବୁଦ୍ଧିଜୀବୀ । ସମସ୍ତଙ୍କ ଭିନ୍ନ ମତ । ସେ ଭିତରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ ତର୍ଜମା ହେବା ଆବଶ୍ୟକ ବୋଲି ମଧ୍ୟ କହିଛନ୍ତି ।

ଅନ୍ୟପଟେ ବୁଦ୍ଧିଜୀବୀ କହିଛନ୍ତି କଟକରେ ରେଭେନ୍ସାଙ୍କ ନାଁରେ କେବଳ ବିଶ୍ବବିଦ୍ୟାଳୟ ନୁହେଁ, କଲେଜିଏଟ୍ ସ୍କୁଲ ଏବଂ ଗାର୍ଲସ ସ୍କୁଲ ମଧ୍ୟ ରହିଛି । ତେଣୁ କେବଳ ନାଁ ବଦଳାଇଲେ କିଛି ଲାଭ ହେବ ନାହିଁ। ବରଂ ରେଭେନ୍ସାର ଶିକ୍ଷା ଭିତ୍ତିଭୂମି ବିକାଶ ପାଇଁ ପଦକ୍ଷେପ ନିଆଯାଉ। ସେ ଯାହାବି ହେଉ କିନ୍ତୁ ନାଁ ପରିବର୍ତ୍ତନ ରାଜନୀତି ବନ୍ଦ ହେଉ ବୋଲି ସାଧାରଣରେ ଏବେ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *