ଭୁବନେଶ୍ବର,୨୪/୧୦ : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି । ‘ସାମୁଦ୍ରିକ ବାତ୍ୟା ‘ଦାନା’ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ ବଢ଼ିବାରେ ଲାଗିଛି । ପାଗ ଅଧିକ କୋହଲା ହେବାରେ ଲାଗିଥିବାବେଳେ ସମୁଦ୍ର ଅଶାନ୍ତ ହେବା ସହିତ ଉଚ୍ଚା ଜୁଆର ସୃଷ୍ଟି ହେଉଛି। ୨୪ ତାରିଖ ରାତିରୁ ୨୫ ତାରିଖ ପାହାନ୍ତି ପ୍ରହର ଭିତରେ ଓଡ଼ିଶାରେ ତାଣ୍ଡବ ରଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ‘ଦାନା’ ଏବେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ସ୍ଥଳଭାଗ ଆଡକୁ ମାଡି ଆସୁଛି । ବାତ୍ୟା ‘ଦାନା’ ଭିତରକନିକାର ତାଳଚୁଆରେ ଲ୍ୟାଣ୍ଡଫଲ୍ କରିବ ବୋଲି ଅନୁମାନ କରାଯାଉଛି ।
ଏ ନେଇ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି । ଅକ୍ଟୋବର ୨୪ ଗୁରୁବାର ମଧ୍ୟ ରାତିରୁ ବାତ୍ୟା‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇ ୨୫ ଅକ୍ଟୋବର ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଜାରି ରହିବ। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତି ଜାରି ହେବ। ଏହି ସମୟ ମଧ୍ୟରେ ସର୍ବାଧିକ ପବନର ବେଗ ପ୍ରାୟ ୧୨୦ କିଲୋମିଟର ହେବାର ସମ୍ଭାବନା ଅଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏହା ସୂଚନା ଦେଇଛନ୍ତି ।