ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ମାଡ ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ଭୁବନେଶ୍ବର, ୧୭/୯ : କମିଶନରେଟ ପୋଲିସର ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ମାଡ ଘଟଣାରେ ପୋଲିସ ଡିଜି ୱାଇ ବି ଖୁରାନିଆ କ୍ରାଇମବ୍ରାଞ୍ଚ ତଦନ୍ତ (Crime Branch investigation) ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚର (Crime Branch) ଏକ ସ୍ୱତନ୍ତ୍ର ଟିମ ଭରତପୁର ଥାନାରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛି । ତେବେ ପ୍ରାଥମିକ ତଦନ୍ତରୁ ଥାନାରେ କୌଣସି ସିସିଟିଭି ନଥିବା ଜଣାପଡିଛି ।ଅଭିଯୋଗ ଅନୁସାରେ, ଗତ ଶନିବାର ରାତିରେ ମେଜର ଗୁରବଂଶ ସିଂହ ଏବଂ ତାଙ୍କ ବାନ୍ଧବୀ କାରରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ସେମାନଙ୍କ ଗାଡ଼ିକୁ ଅଟକାଇ ଦୁର୍ବ୍ୟବାହର କରିଥିଲେ । ଏହାକୁ ନେଇ ସଂପୃକ୍ତ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ଅଭିଯୋଗ କରିବାକୁ ଭରତପୁର ଥାନାକୁ ଯାଇଥିଲେ । ତେବେ ସେଠାରେ ପୋଲିସ ଅଭିଯୋଗ ରଖିବା ବଦଳରେ ସେନା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲା ।

ଏଭଳିକି ସେନା ଅଧିକାରୀଙ୍କୁ ଲକ୍‌ଅପରେ ରାତିତମାମ ରଖିଥିବା ଅଭିଯୋଗରେ ଉଲ୍ଲେଖ ରହିଛି ।ଏହାକୁ ତାଙ୍କ ବାନ୍ଧବୀ ପ୍ରତିବାଦ କରିବାରୁ ସେଠାରେ ଉପସ୍ଥିତ ଥିବା ପୋଲିସ ଅଧିକାରୀ ତାଙ୍କୁ ଅଦ୍ଧନଗ୍ନ କରି ପ୍ରବଳ ପିଟିଥିଲେ । ଯୁବତୀ ଜଣଙ୍କ ପୋଲିସ ମାଡ଼ରେ ଲହୁଲୁହାଣ ହୋଇଯାଇଥିବା ବେଳେ ପୋଲିସ ଗିରଫ କରି ମେଡିକାଲ ଚେକଅପ୍ ପାଇଁ ପଠାଇଥିଲା । ପ୍ରଥମେ ଘରୋଇ ହସ୍ପିଟାଲରେ ହୋଇଥିବା ପରୀକ୍ଷାରେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ପ୍ରବଳ ମାଡ଼ ମରାଯାଇଥିବା ଜଣାପଡ଼ିଥିଲା । ତେବେ ପୋଲିସ ପୁଣି ଅଲଗା ମେଡିକାଲକୁ ଯାଇ ରିପୋର୍ଟ ବଦଳାଇଥିବା ଅଭିଯୋଗ ହୋଇଛି । ପରେ ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦେଇଥିଲା ।

ଘଟଣା ସଂପର୍କରେ ଖବରପାଇ କିଛି ସେନା ଅଧିକାରୀ ଭରତପୁର ଥାନାରେ ପହଂଚି ପ୍ରତିବାଦ କରିଥିଲେ । ପରେ ପୋଲିସ ମେଜର ଗୁରୁବଂଶ ସିଂହଙ୍କୁ ଛାଡ଼ିଦେବାରୁ ସେନା ଅଧିକାରୀମାନେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଏହି ଘଟଣାକୁ ସେନା ଗୁରୁତର ସହ ନେଇଛି । ସେନାର ସେଂଟ୍ରାଲ କମାଣ୍ଡ ପକ୍ଷରୁ ସୋଶାଲ ମିଡିଆରେ ଟ୍ୱିଟ୍ କରି ପୋଲିସ ଡିଜିଙ୍କୁ ଅବଗତ କରିଥିଲେ । ପରେ ପୋଲିସ ଡିଜି ଘଟଣାର ଗୁରୁତ୍ୱକୁ ଦେଖି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।ଅପରପକ୍ଷେ, ଭରତପୁର ଥାନା ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆସିଥିବା ବେଳେ ପୋଲିସ ଓଲଟା ଅଭିଯୋଗ ଆଣିଛି ।

ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ପୋଲିସକୁ ଖରାପ ବ୍ୟବହାର କରିଥିଲେ ବୋଲି ଭୁବନେଶ୍ୱର ଅତିରିକ୍ତ ଡିସିପି ସୁରେଶ ଚନ୍ଦ୍ର ପାତ୍ର କହିଛନ୍ତି । ହେଲେ ମଡେଲ ଥାନାରେ ସିସିଟିଭି କାହିଁକି ନାହିଁ ବୋଲି କେହି କିଛି କହିବାକୁ ପ୍ରସ୍ତୁତ ନୁହଁନ୍ତି ।

Leave a Reply

Your email address will not be published. Required fields are marked *