କଂଗ୍ରେସ- ବିବାଦ- ବ୍ୟାକଫୁଟ୍

ଭୁବନେଶ୍ବର, ୧୭/୯ : କଂଗ୍ରେସ ଏବେ କେଉଁଠି ? ସବୁ ଛକରେ ଏ ଆଲୋଚନା । ରାଜ୍ୟ କଂଗ୍ରେସ ଏବେ ଅଛି କି ନାଁ ଏ ସବୁ ପ୍ରଶ୍ନ ଖୋଜିବାରେ ବ୍ୟସ୍ତ ଲୋକେ । ଏହା କହିବାର କାରଣ ଏବେ ଯେମିତି କଂଗ୍ରେସ ରାଜ୍ୟରେ ନିଶ୍ଚିହ୍ନ ହୋଇଯାଇଛି । ନାଁ ଆଖି ଦୃଶିଆ କିଛି କାର୍ଯ୍ୟ ହେଉଛି ନାଁ ମୁଖିଆ ଚୟନ ହେଉଛି । ଦିଲ୍ଲୀ ଦରବାରରେ ରାଜ୍ୟ କଂଗ୍ରେସର ଫାଇଲ୍ ଏବେ ମାଡ଼ି ମୋକଚି ଯାଇଛି ଯେମିତି । ଏବେ ସମସ୍ତଙ୍କ ନଜର କିଏ ହେବ ରାଜ୍ୟ ମୁଖିଆ ।ରେଶରେ ଅନେକ ଗୁଡ଼ିଏ ନାଁ ଅଛି ।

କାହାକୁ ଭରସା କରିବେ କର୍ମୀ ଏବଂ ନେତା । କର୍ମୀଙ୍କ ମନୋବଳ କିଏ ବଢାଇବ ତାକୁ ନେଇ ଚାଲିଛି ମାନସମନ୍ଥନ । ରାଜ୍ୟ କଂଗ୍ରେସର ଚେହେରା ଓ୍ବାଲା ନେତା ଏବେ କେଉଁଠି କର୍ମୀ ଖୋଜିବାକୁ ଲାଗିଲେଣି । ନିର୍ବାଚନ ସମୟରେ ଆକ୍ଟିଭ ନେତା ଶିଥିଳ ପଡ଼ିଗଲେଣି । ଚଳିତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳ ମଦ୍ୟରେ ଅପରେଶନ ହୋଇଥିଲା । ସମସ୍ତ କମିଟିକୁ ଭାଙ୍ଗି ଦିଆଗଲା । କୁହାଗଲା କି ଖୁବଶୀଘ୍ର ନୂତନ ରାଜ୍ୟ ମଙ୍ଗୁଆଳ ବଛାଯିବ । ମାତ୍ର ଏବେ ସୁଦ୍ଧା ମଙ୍ଗୁଆଳ କିଏ ହେବେ ତାକୁ ନେଇ ଚାଲିଛି ତର୍ଜମା ।

ରାଜ୍ୟ ପ୍ରଭାରୀ ଅଜୟ କୁମାର ଆସିବା ପରେ କିଛିମାତ୍ରାରେ ଆକ୍ଟିଭ ହୋଇଥିଲା କଂଗ୍ରେସ । କର୍ମୀବି ଯେମିତି ଘର ବାହୁଡ଼ା ହୋଇଥିଲେ । କିନ୍ତୁ ସବୁ ଯେମିତି ଭେଳିକି ଥିଲା ଭଳି ହେଲ । କାରଣ ନିର୍ବାଚନରେ ସେଭଳି ଆକ୍ଟିଭ ଦେଖାଦେଲେନି ଅଜୟ କୁମାର । ତାଙ୍କ ନାଁରେ ଅଭିଯୋଗ ଲମ୍ବା ଫର୍ଦ ଦେଖିବାକୁ ମିଳିଲା ।ତେବେ କିଛି ଦିନ ପୂର୍ବରୁ ଏହାକୁ ନେଇ ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀ ପତି କହିଥିଲେ କି , କଂଗ୍ରେସରେ ଗୋଡ଼ ଝିକା ଝିକି ଚାଲିଛି । କାହା ସହ କାହାର ମତ ଠିକ ରହୁନି। ଆମ ଭଳି ପ୍ରକୃତ କଂଗ୍ରେସ କର୍ମୀଙ୍କୁ କାନ୍ଦ ଲାଗୁଛି। ଦଳରେ ବିଭାଜନ ସୃଷ୍ଟି ହେଉଛି ଯାହାକି ହେବା ଅନୁଚିତ। କାହାର ଦଳୀୟ ସ୍ୱାର୍ଥ ଚିନ୍ତା ନାହିଁ ବରଂ ନିଜ ସ୍ୱାର୍ଥ ହାସଲ ପାଇଁ ଚେଷ୍ଟା ଚାଲିଛି। କଂଗ୍ରେସରେ ଗାନ୍ଧି ପରିବାର ବସ, ସେମାନେ ଯାହା ନିଷ୍ପତି ନେବେ ତାକୁ ଆମକୁ ମାନିବାକୁ ପଡିବ। ମତେ ବିଜେଡି, ବିଜେପି ସହ କଂଗ୍ରେସ ବି ବିରୋଧ କରୁଛି। ତେଣୁ ମୁଁ ମୋ ନିର୍ବାଚନମଣ୍ଡଳୀ ଭିତରେ ଅଛି। କଂଗ୍ରେସ କର୍ମୀ ଭାଙ୍ଗି ଗଲେଣି । ଏବେର ନୀତି ଦେଖି ସବୁ କଂଗ୍ରେସ କର୍ମୀ ଏକଜୁଟ ହେବା ଦରକାର ବୋଲି କହିଛନ୍ତି ତାରା ।

ସେପଟେ ତାରା ବାହିନୀପତି ଅସନ୍ତୋଷ ଥିବା କଥାକୁ ସମର୍ଥନ କରିଥିଲେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା। ସେ କହିଥିଲେ ତାରାଙ୍କ ହୃଦୟ କଂଗ୍ରେସ । ରାଜ୍ୟରେ ବିଜେଡି ହାୱା ଭିତରେ ସେ ଜିତୁଛନ୍ତି । ସେହିଭଳି ପିସିସି କମିଟି ଭଙ୍ଗାଯିବା ପରେ ଓଡ଼ିଶା କଂଗ୍ରେସ ଅଚଳ ହୋଇପଡିଛି । ତୁରନ୍ତ ପିସିସି ସଭାପତି ନିଯୁକ୍ତି କରିବାକୁ ପ୍ରସ୍ତାବ ଦେଇ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ଚିଠି ମଧ୍ୟ ଲେଖିଥିଲେ।କଂଗ୍ରେସ ଭବନରେ ତାଲା ପଡିଛି। ଦଳରେ ଅଚଳବସ୍ଥା ଲାଗି ରହିଛି । ଯିଏ ଦଳକୁ ଆଗକୁ ନେବେ, ତାଙ୍କୁ ତୁରନ୍ତ ପିସିସି ସଭାପତି ଭାବେ ନିଯୁକ୍ତି କରିବାକୁ ଚିଠିରେ ଜୟଦେବ ଅନୁରୋଧ କରିଥିଲେ । କଂଗ୍ରେସ ନେତାଙ୍କୁ ଏକଜୁଟ କରିବାକୁ ମଧ୍ଯ ସେ ଚିଠିରେ ପ୍ରସ୍ତାବ ଦେଇଥିଲେ ।ଏତେ ସବୁ ପ‌ରେ ବି ରାଜ୍ୟରେ କଂଗ୍ରେସର ସ୍ଥିତି ଏବେ କେଉଁଠି ଏହାକୁ ନେଇ ତର୍କ ଚାଲିଛି ।

ସୋସିଆଲ ମିଡ଼ିଆରେ ଆଟାକିଂ ‌ହେଉ କିମ୍ବା ପ୍ରସଙ୍ଗ ଉତଥାପନ କୌଣସି ଥିରେ କଂଗ୍ରେସ ଆଉ ଆଗକୁ ଆସିବା ଦେଖାଯାଉ ନାହିଁ । ଏବେ ଭାବିବାର ବେଳ କଂଗ୍ରେସ କିଭଳି ଆଗକୁ ଯିବ । ଅପେକ୍ଷା ରାଜ୍ୟର କିଏ ହେଉଛି ନୂଆ ମଙ୍ଗୁଆଳ ?

Leave a Reply

Your email address will not be published. Required fields are marked *