ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଚୁପ୍ କାହିଁକି ?

ଭୁବନେଶ୍ବର, ୧୮/୯ : ନିକଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ସର୍ବ ପୁରାତନ ତଥା ଓଡ଼ିଶାର ଗର୍ବ ଓ ଗୌରବ କଟକର ରେଭେନ୍ସା କଲେଜର ନାମ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସେ କହିଥିଲେ ଯେ, ତତ୍କାଳୀନ କମିଶନର ଟି.ଇ. ରେଭେନ୍ସାଙ୍କ ସମୟରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା ଏବଂ ଲକ୍ଷ ଲକ୍ଷ ଲୋକ ଖାଇବାକୁ ନ ପାଇ ମୃତ୍ୟୁବରଣ କରିଥିଲେ ଏବଂ ରେଭେନ୍ସା କଲେଜ ସ୍ଥାପନରେ କୌଣସି ଅବଦାନ ନଥିବା ବ୍ୟକ୍ତିଙ୍କ ନାମରେ ରାଜ୍ୟର ଏହି ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ ନାମିତ ହେବାର କୌଣସି ଯଥାର୍ଥ ନାହିଁ । ତେଣୁ ତାଙ୍କ ନାମରେ ନାମିତ ରେଭେନ୍ସା କଲେଜର ନାମ ପରିବର୍ତ୍ତନ କରିବାକୁ କେନ୍ଦ୍ରମନ୍ତ୍ରୀ ଦୃଢ ଦାବି କରିଥିଲେ ।

ଏଠାରେ ପ୍ରକାଶ ଥାଉକି ସମଗ୍ର ଦେଶରେ ଶିକ୍ଷାର ମାନ ହ୍ରାସ ପାଇବାରେ ଲାଗିଛି । ଶିକ୍ଷା ପାଇଁ ବଜେଟ ହ୍ରାସ୍‌, ଶିକ୍ଷକ ଅଭାବ, ଭିତ୍ତିଭୂମିର ଅଭାବ, ପ୍ରବେଶିକା ପରୀକ୍ଷାରେ ଦୁର୍ନୀତି, ଛାତ୍ର ସଂସଦ ନିର୍ବାଚନ ବନ୍ଦ ଓ ଛାତ୍ର ଆତ୍ମହତ୍ୟା ଆଦି ବୃଦ୍ଧି ପାଇବାରେ ଲାଗିଛି । କ୍ୟୁଏସ୍‌ ରାଙ୍କିଂ ଅନୁସାରେ, ବିଶ୍ୱର ଶ୍ରେଷ୍ଠ ୧୦୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ଗୋଟିଏ ହେଲେ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇନଥିବାବେଳେ ଏନଆଇଆରଏଫ୍‌ ରାଙ୍କିଂ ଅନୁସାରେ ଦେଶର ଶ୍ରେଷ୍ଠ ୧୦୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ଓଡ଼ିଶାର ଗୋଟିଏ ମଧ୍ୟ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇନାହିଁ । ତେଣୁ ନିଜର ଓ ନିଜ ସରକାର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ନାମ ପରିବର୍ତ୍ତନ ଭଳି ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି ଶ୍ରୀଯୁକ୍ତ ପ୍ରଧାନ ।

ଏହା ପରିବର୍ତ୍ତେ ରେଭେନ୍ସା ଭଳି ଉତ୍କୃଷ୍ଟ ମାନର ନୂଆ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରନ୍ତୁ ଏବଂ ରେଭେନ୍ସାର ଭିତ୍ତି ଭୂମୀ ସୁଦୃଢ କରି ଖାଲି ପଡ଼ିଥିବା ଶିକ୍ଷକ ନିଯୁକ୍ତ କଲେ ଓଡ଼ିଶାବାସୀ ଉପକୃତ ହୋଇପାରିବେ । ସ୍ୱାଧୀନତାର ପୂର୍ବ ବର୍ତ୍ତୀ ଓଡ଼ିଶାରେ ଶିକ୍ଷା ଓ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଦିଗରେ ଟିଇ ରେଭେନ୍ସାଙ୍କ ଅବଦାନର ପଟ୍ଟାନ୍ତର ନାହିଁ । ତାଙ୍କ ଦ୍ୱାରା ୧୯୬୮ରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନ ପ୍ରଥମେ ‘କଟକ କଲେଜ’ ନାମରେ ନାମିତ ଥିଲା । ପରବର୍ତ୍ତୀ ଅବସ୍ଥାରେ ୧୮୭୬ରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରସ୍ତାବ କ୍ରମେ ଏହାର ନାମ ‘ରେଭେନ୍ସା କଲେଜ’ ରଖାଯାଇଥିଲା । ଯଦି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଯୁକ୍ତି କରୁଛନ୍ତି ଯେ, ଟି.ଇ ରେଭେନ୍ସାଙ୍କ ସମୟରେ ନଅଙ୍କ ଦୁର୍ଭିକ୍ଷରେ ଲକ୍ଷ ଲକ୍ଷ ଲୋକ ଖାଇବାକୁ ନ ପାଇ ମଲେ ଏବଂ ନଅଙ୍କ ଦୁର୍ଭିକ୍ଷକୁ ରୋକିବ ଦିଗରେ ରେଭେନ୍ସା ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ, ତେଣୁ ତାଙ୍କ ନାମରେ ଥିବା ରେଭେନ୍ସା କଲେଜର ନାମ ପରିବର୍ତ୍ତନ କରିବାକୁ ସେ ଦାବି କରିଛନ୍ତି ।

ମାତ୍ର ସେବେଠାରୁ ପୁରା ଚୁପ୍ ରହିଛନ୍ତି ଶ୍ରୀ ପ୍ରଧାନ । କାହିଁକି ସେ ଏବେ ପାଟି ଖୋଲୁନାହାନ୍ତି । କେବେ ଏହା ଉପରେ ପୁଣି ଥରେ ମୁହଁ ଖୋଲିବେ ତାକୁ ନେଇ ରାଜ୍ୟରେ ଏବେ ଚର୍ଚ୍ଚା ଜୋର ଧରିଛି। ଏବେ ଅପେକ୍ଷା ଏହି ପ୍ରସଙ୍ଗରେ କେବେ ମୁହଁ ଖୋଲୁଛନ୍ତି ଶ୍ରୀ ପ୍ରଧାନ ।

Leave a Reply

Your email address will not be published. Required fields are marked *