ମମତା ମହାନ୍ତ ବିଜେପିର ରାଜ୍ୟସଭା ପ୍ରାର୍ଥୀ, ବିଜେଡି ନେତାଙ୍କୁ ଆକୃଷ୍ଟ କରିବାକୁ ବ୍ଲୁ ପ୍ରିଣ୍ଟ କି ?

ଭୁବନେଶ୍ବର, ୨୦/୮ : ମମତା ମହାନ୍ତ ବିଜେପିର ରାଜ୍ୟସଭା ପ୍ରାର୍ଥୀ । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ଅନୁମୋଦନ । ମୟୁରଭଞ୍ଜ କୁଡୁମୀ ସମ୍ପ୍ରଦାୟ ନେତ୍ରୀ ମମତା । ରାଜ୍ୟସଭା ସାଂସଦ ପଦରୁ ଦେଇଥିଲେ ଇସ୍ତଫା । ବିଜେଡି ରାଜ୍ୟସଭା ସାଂସଦ ଥିଲେ ମମତା । ମମତାଙ୍କୁ ପୁଣି ଥରେ ରାଜ୍ୟସଭା ପଠାଇବ ବିଜେପି । ଏ ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା । ମମତାଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିବା ପରେ ବିଜେଡି ମହଲରେ କୌତୁହଳ । ବିଜେଡି ଛାଡ଼ି ବିଜେପି ଆସିବାକୁ ଚାହୁଁଥିବା ନେତାଙ୍କ ପାଇଁ ଏହା ସରପ୍ରାଇଜ୍ । ଚର୍ଚ୍ଚା ହେଉଛି ବିଜେପି ଲିଙ୍କରେ ଥିବା ବହୁ ନେତା ବିଜେପିର ଏହି ଷ୍ଟ୍ରାଟେଜୀ ଦେଖି ଏବେ ସେମାନଙ୍କ ମନରେ କୌତୁହଳ ସୃଷ୍ଟି ହୋଇଛି । ହୋଇପାରେ ଆଗକୁ ବିଜେଡି ନେତା ବିଜେପିକୁ ଢଳି ପାରନ୍ତି । ଆଉ ଆଗକୁ ରାଜ୍ୟସଭାର ଲଡ଼ୁ ବି ଖାଇପାରନ୍ତି । ବିଜେପିର ଏହି ବ୍ଲୁ ପ୍ରିଣ୍ଟ ଓଡ଼ିଶାରେ ବିଜେପିରେ ମିଶିବାକୁ ଚାହୁଁଥିବା ନେତାଙ୍କ ପାଇଁ ଏକ ବରଦାନ ସଦୃଶ ହୋଇପଡ଼ିଛି । ଏହା ଦ୍ବାରା ରାଜ୍ୟରେ ରାଜନୈତିକ ସମୀକରଣ ପରିବର୍ତ୍ତନ ଲାଗି ବିଜେପି ଚେଷ୍ଟା କରିଛି । ଯାହାକି ଅନ୍ୟମାନଙ୍କ ପାଇଁ ଏକ ମେସେଜ ଯିବ ବୋଲି ଏବେ ଠୁ ଚର୍ଚ୍ଚା ହେଉଛି । ଅନ୍ୟପଟେ ଆଗାମୀ ଦିନରେ ପଡ଼ୋଶୀ ରାଜ୍ୟରେ ନିର୍ବାଚନ ଥିବା ଯେହେତୁ ମମତା କୁଡ଼ୁମୀ ସମ୍ପ୍ରଦାୟର ନେତ୍ରୀ ଏଣୁ କୁଡ଼ୁମୀ ଭୋଟକୁ ନିଜ ଆଡ଼ୁକ ନେବାକୁ ବିଜେପିର ଏହା ଏକ ଷ୍ଟ୍ରାଟେଜି ବୋଲି କୁହାଯାଇପାରେ । ସେହିଭଳି ରାଜ୍ୟରେ ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ । ଏଣୁ ପଞ୍ଚାୟତ ନିର୍ବାଚନରେ କୁଡ଼ୁମୀ ସମ୍ପ୍ରଦାୟର ଭୋଟ ମଧ୍ୟ ନିଜ ଆଡ଼କୁ ବିଜେପି ଟାଣିବ ବୋଲି ଅନୁମାନ କରାଯାଉଛି । କାରଣ ମମତା ବିଜେଡି ଛାଡ଼ିବା ସମୟରେ କହିଥିଲେ କି ତାଙ୍କ ସମ୍ପ୍ରଦାୟର କୌଣସି କାମ କରାଯାଉନାହିଁ । ଏଣୁ ସେ ବିଜେଡି ଛାଡ଼ୁଛନ୍ତି । ଫଳରେ ରାଜ୍ୟରେ ନୂତନ କରି ସରକାର ଗଢିଥିବା ବିଜେପି ଏକ ମେସେଜ ଦେବାକୁ ଚାହିଁଛି କି କୁଡ଼ୁମୀ ସମ୍ପ୍ରଦାୟ ସହ ବିଜେପି ଅଛି । ମମତା ୨୦୨୦ରେ ବିଜେଡିରୁ ରାଜ୍ୟସଭାକୁ ଯାଇଥିଲେ । ଏବେ ସେ ବିଜେପିରୁ ଆହୁରି ୧୮ମାସ ରାଜ୍ୟସଭାରେ ରହିବେ । ସେ ବିଜେଡି ଛାଡ଼ିବା ପରେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା । ସେ ଦିଲ୍ଲୀରେ ବିଜେପି କେନ୍ଦ୍ରୀୟ ନେତାଙ୍କୁ ଭେଟି ଓଡ଼ିଶା ଆସିବା ପରେ ତାଙ୍କୁ ଯେଭଳି ସ୍ବାଗତ କରାଯାଇଥିଲା ଏହାକୁ ଦେଖି ଅନୁମାନ କରାଯାଉଥିଲା କି ତାଙ୍କୁ ବିଜେପି ପ୍ରାର୍ଥୀ କରିବ । ଆଜି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଅନୁମୋଦନ କରିଛି । ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ ଥିବାରୁ ସେ ବୁଧବାର ନିଜର ନାମାଙ୍କନ ଦାଖଲ କରିବେ । ଶାସକ ଦଳର ସଂଖ୍ୟା ଦୃଷ୍ଟିରୁ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇପାରନ୍ତି ।