ବିଜେଡି କଳି ଶଙ୍ଖ ଭବନରେ ପଶିଲା

ଭୁବନେଶ୍ବର,୩୦/୯ : ଭୁବନେଶ୍ବର ପରେ ଭଦ୍ରକ ଜିଲ୍ଲାର କଳି ଶଙ୍ଖ ଭବନରେ ପହଞ୍ଚିଛି । ଶଙ୍ଖ ଭବନରେ ବିଜେଡି ନବୀନ ପଟ୍ଟନାୟକ ଉପସ୍ଥିତ ଥିବାବେଳେ ଦୁଇ ଜଣ ପୂର୍ବତନ ବିଧାୟକ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଥିବା ଅସନ୍ତୋଷ ଦୂର କରିବା ହସ୍ତକ୍ଷେପ କରିଛନ୍ତି ଦଳର ବରିଷ୍ଠ ନେତା ।ବିଜେଡି କଳି ଦିନକୁ ଦିନ ବଢିବାରେ ଲାଗିଛି । ଦଳ ଭିତରେ ଥିବା ବିଶୃଙ୍ଖଳା ଦାଣ୍ଡରେ ପଡି ହାଟରେ ଗଡ଼ିବାରେ ଲାଗିଛି । ଭୁବନେଶ୍ବର ପରେ ଭଦ୍ରକ ଜିଲ୍ଲା ବିଜେଡ଼ିରେ ଗୋଷ୍ଠୀ କନ୍ଦଳ । ଏହି କଳି ଭଦ୍ରକ ଡେଇଁ ଆଜି ଆଜି ଶଙ୍ଖ ଭବନରେ ପହଞ୍ଚିଛି । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତ ଥିବାବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି । ମୁହାଁମୁହିଁ ହୋଇଛନ୍ତି ବିଜେଡିର ଦୁଇ ପୂର୍ବତନ ବିଧାୟକ ।

ବାସୁଦେବପୁରର ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଓ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଆଜି ଶଙ୍ଖ ଭବନରେ କଥା କଟାକଟି ହୋଇଛନ୍ତି । କଥା ହାତାହାତି ପର୍ଯ୍ୟନ୍ତ ମଧ୍ୟ ଯାଇଛି । ରାଗ ତମତମ ହୋଇ ବିଷ୍ଣୁବ୍ରତ ଶଙ୍ଖ ଭବନର ଉପର ମହଲାରୁ ତଳକୁ ଚାଲିଆସିଥିଲେ । ତାଙ୍କୁ ବୁଝାଶୁଝା କରିବାକୁ ଆସିଥିଲେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ । ଦୀର୍ଘ ସମୟ ବୁଝାସୁଝା ପରେ ବିଷ୍ଣୁବ୍ରତଙ୍କୁ ଉପରକୁ ନେଇଥିଲେ ସଞ୍ଜୀବ ।ସେପଟେ ସୂଚନା ପାଇ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ପହଁଚି ବିଷ୍ଣୁବ୍ରତଙ୍କୁ ଉପର ମହଲାକୁ ନେଇ ଆଲୋଚନା କରିଛନ୍ତି । ବିଷ୍ଣୁବ୍ରତ ରାଉତରାୟ ଓ ତାଙ୍କ ସମର୍ଥନଙ୍କ ଅଭିଯୋଗ ହେଉଛି ମୁକ୍ତିକାନ୍ତ ମଣ୍ଡଳ ଷଡ଼ଯନ୍ତ୍ର କରି ହରାଇଛନ୍ତି । ବିଜେଡିରୁ ବିଦା ହୋଇ ବିଜେପି ଯାଇଥିଲେ ବାଣୀକଲ୍ୟାଣ ମହାପାତ୍ର । ସାଧାରଣ ନିର୍ବାଚନରେ ବାଣୀଙ୍କୁ ବାସୁଦେବପୁରର ବିଧାୟକ ପ୍ରାର୍ଥୀ କରିଥିଲା ବିଜେପି । ବାସୁଦେବପୁରରୁ ବିଜେଡି ଟିକେଟ ଆଶାୟୀ ଥିଲେ ମୁକ୍ତିକାନ୍ତ । କିନ୍ତୁ ରାଉତରାୟ ପରିବାରର ପାରମ୍ପରିକ ଆସନରୁ ବିଷ୍ଣୁବ୍ରତଙ୍କୁ ବିଜେଡି ଦେଇଥିଲା ଟିକେଟ । ତେଣୁ ବାଣୀକଲ୍ୟାଣଙ୍କୁ ମୁକ୍ତିକାନ୍ତ ଭିତିରିଆ ସମର୍ଥନ କରିଥିଲେ ବୋଲି ବିଷ୍ଣୁବ୍ରତ ଓ ତାଙ୍କ ସମର୍ଥନଙ୍କ ଅଭିଯୋଗ ।

ଫଳରେ ବିଜେଡିର ପାରମ୍ପରିକ ଭୋଟ ବିକ୍ଷିପ୍ତ ହୋଇଥିଲା । ଯାହା ଫାଇଦା ଉଠାଇଥିଲେ କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ । ଯାହାକୁ ନେଇ ଭଦ୍ରକ ବିଜେଡ଼ିରେ ବିବାଦ ଲାଗି ରହିଛି । ଆଜି ନବୀନ ଭଦ୍ରକ ଜିଲ୍ଲା ସଂଗଠନ ସମୀକ୍ଷା କରିବା ଲାଗି ଡାକିଥିଲେ । ନେତାଙ୍କ ଠାରୁ ବିଭିନ୍ନ ଫିଡ଼ବ୍ୟାକ ନେଇଥିଲେ । ନବୀନଙ୍କ ସମୀକ୍ଷା ବୈଠକ ପରେ ଏହି ପରିସ୍ଥିତି ଉପୁଜିଥିଲା । ସେହି ସମୟରେ ନବୀନ ସୋନପୁର ଜିଲ୍ଲାର ସମୀକ୍ଷା କରୁଥିଲେ ।ଏନେଇ ବିଜେଡିର ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, “ସଭାପତିଙ୍କ ପାଖରେ ମତବିନିମୟ ସମୟରେ ବିଶୃଙ୍ଖଳା ହୋଇନାହିଁ । ବିଜେଡି ଏକ ବିଶାଳ ଦଳ । ପାନରୁ ଚୂନ ଖସିଗଲେ, ବିଶୃଙ୍ଖଳା ବୋଲି କହିଲେ କେମିତି ହେବ । ପରିବାର ଭିତରେ ଏମିତି ହୁଏ । ବିଜେଡି ଏକ ଗଣତାନ୍ତ୍ରିକ ଦଳ । ଯିଏ ଯେଉଁ ପ୍ରସଙ୍ଗ ଉଠାଇଯାଇଛି, ବିଜେଡି ସଭାପତି ଶୁଣିଛନ୍ତି ।”ଏହାକୁ ନେଇ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କହିଛନ୍ତି, “ମୋତେ କିଛି ବିରୋଧ କରାଯାଇନାହିଁ । ଏହା ଦଳର ଆଭ୍ୟନ୍ତରୀଣ କଥା । ଭଦ୍ରକ ଜିଲ୍ଲାର ସଂଗଠନ ସୁଦୃଢ ରହିଛି । ସେହିଭଳି ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ କହିଛନ୍ତି, “ସେମିତି କିଛି ହୋଇନାହିଁ ।

ଆଲୋଚନାରେ ବସିଲେ ବିଭିନ୍ନ କଥା ଆସେ । ଆଗାମୀ ପଦକ୍ଷେପ ଲାଗି ମତ ନିଆଯାଇଛି । କୌଣସି ବିରୋଧ ହୋଇନଥିଲା । ତେବେ ପ୍ରଶ୍ନ ଉଠୁଛି ବିଜେଡିରେ ଏବେ ସବୁ କିଛି ଠିକ୍ ଚାଲିଛି ତ ? ନିର୍ବାଚନ ପରେ ଏବେ ଆଭ୍ୟନ୍ତରୀଣ ରାଜନୀତି ବଢିବାରେ ଲାଗିଛି । ଏହାକୁ ନେଇ ସୁପ୍ରିମୋଙ୍କ ଆଗାମୀ ପଦକ୍ଷେପ କ’ଣ ହେବ ତାକୁ ଅପେକ୍ଷା ।

Leave a Reply

Your email address will not be published. Required fields are marked *