ଆରପାରିରେ ସମୀର ଦେ

ଭୁବନେଶ୍ୱର,୧୮/୧୧ : ବିଜେପିର ବରିଷ୍ଠ ନେତା ସମୀର ଦେଙ୍କ ପରଲୋକ । ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ସମୀର ଦେଙ୍କ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଜଣେ ପ୍ରବୀଣ ରାଜନେତା ଭାବେ ବେଶ ଲୋକପ୍ରିୟ ଥିଲେ ସମୀର ଦେ । ଏମିତି କି ୨୦୦୪ରୁ ୦୯ ପର୍ଯ୍ୟନ୍ତ ବିଜେଡି-ବିଜେପି ମେଣ୍ଟ ସରକାର ଅମଳରେ ସେ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ ମଧ୍ୟ ରହିଥିଲେ । କଟକ ସହରରୁ ୩ ଥର ବିଧାୟକ ରହିଥିଲେ । ୧୯୯୫ ମସିହାରୁ ଆରମ୍ଭ କରି ୨୦୦୦ ମସିହା ଓ ୨୦୦୪ ମସିହାରେ ସେ ଲଗାତାର ବିଧାନସଭାକୁ ନିର୍ବାଚିତ ହେଇଥଲେ । ହେଲେ ଏହା ପରଠୁ କିନ୍ତୁ ସେ ନିର୍ବାଚନରେ ସଫଳତା ପାଇନଥିଲେ ।

ହେଲେ ରାଜ୍ୟ ବିଜେପିର ଜଣେ ଜଣାଶୁଣା ଚେହେରା ଥିଲେ ସମୀର ଦେ ।ସମୀର ଦେଙ୍କ ପରଲୋକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲେଖିଛନ୍ତି ଯେ, ‘ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ’।