ଝାଡ଼ଖଣ୍ଡରେ ଫେଲ୍ ମାରିଲା NDA ରଣନୀତି

ନୂଆଦିଲ୍ଲୀ, ୨୪/୧୧ : ଝାଡ଼ଖଣ୍ଡରେ ଫେଲ୍‌ ମାରିଲା ବିଜେପିର ରଣ କୌଶଳ। କ୍ରମାଗତ ଦ୍ବିତୀୟ ଥର କ୍ଷମତାକୁ ଫେରି ରେକର୍ଡ କରିବାକୁ ଯାଉଛନ୍ତି ହେମନ୍ତ ସୋରେନ। କାମ ଦେଲାନି ବିଜେପିର ରଣନୀତି । ପୂର୍ବରୁ ଯାହା ଦାବି କରୁଥିଲେ ଜେଏମଏମର ନେତା, ତାହା ହୋଇଛି । ଇଣ୍ଡିଆ ମେଣ୍ଟ ପ୍ରାୟ ୬୦ ଆସନରେ ଜିତିବା ନେଇ ପୂର୍ବରୁ ଆକଳନ କରାଯାଉଥିଲା। ଏମିତି କି କିଏ କେଉଁ ଆସନରେ ଜିତିବ ତାହାର ତାଲିକା ମଧ୍ୟ ରଖିଥିଲା ଜେଏମ୍‌ଏମ୍‌। ଆଉ ତାହା ସତ ପ୍ରମାଣିତ ହୋଇଛି। ଝାଡ଼ଖଣ୍ଡରେ ଓଲଟି ଯାଇଛି ଏକଜିଟ୍ ପୋଲ୍‌ । ପ୍ରଥମ ଥର ପାଇଁ କୌଣସି ଦଳ ରିପିଟ୍‌ ହେବାକୁ ଯାଉଛି।

ଜବରଦସ୍ତ ବିଜୟ ପରେ ଝାଡ଼ଖଣ୍ଡବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ।କୁହାଯାଉଛି, ହେମନ୍ତ ସୋରେନଙ୍କ ବଡ଼ ବିଜୟ ପଛରେ ଆଦିବାସୀ ଭୋଟ୍‌ । ଝାଡ଼ଖଣ୍ଡ ଦଖଲ ପାଇଁ ଭରପୁର ପ୍ରୟାସ କରିଥିଲା ବିଜେପି। ପ୍ରଚାର ବେଳେ ଅନୁପ୍ରବେଶକାରୀ ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରିଥିଲେ ବିଜେପି ନେତା । କିନ୍ତୁ ଆଦବାସୀଙ୍କୁ ଏକାଠି କରି ରଖିବାକୁ ଚେଷ୍ଟା କରିଥିଲା ଜେଏମଏମ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ। ଅନୁପ୍ରବେଶକାରୀଙ୍କ ପାଇଁ ଝାଡ଼ଖଣ୍ଡର ଆଦିବାସୀ, ମାଟି-ବେଟି ଓ ରୁଟି ସମସ୍ୟା ଭୋଗୁଥିବା କହିଥିଲା ଏନଡିଏ । ଅପରପକ୍ଷରେ କେବଳ ବିକାଶମୂଳକ ଯୋଜନା ଉପରେ ଫୋକସ୍ କରିଥିଲା ଜେଏମଏମ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ । କଳ୍ପନା ସୋରେନଙ୍କ ବ୍ରେନ୍ ଚାଇଲ୍‌ଡ ମୈୟା ସମ୍ମାନ ଯୋଜନା ହିଁ ଇଣ୍ଡିଆ ମେଣ୍ଟକୁ ଦେଇଛି ବଡ଼ ବିଜୟ ।ମୁଖ୍ୟମନ୍ତ୍ରୀ ଥିବା ବେଳେ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍‌ ଯାଇଥିଲେ ହେମନ୍ତ ସୋରେନ୍‌। ଯାହା ଦଳୀୟ ନେତାଙ୍କୁ ଚିନ୍ତାରେ ପକାଇଥିଲା। ମାତ୍ର ହେମନ୍ତଙ୍କ ଅନୁପସ୍ଥିତିରେ ଦଳର କମାଣ ସମ୍ଭାଳିଥିଲେ ତାଙ୍କ ଉଚ୍ଚ ଶିକ୍ଷିତା ଧର୍ମପତ୍ନୀ କଳ୍ପନା ସୋରେନ ।

ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଦଳୀୟ ନେତାଙ୍କୁ ଏକତ୍ରିତ କରି ରଖିଥିଲେ କଳ୍ପନା। ଯେତେବେଳେ ହେମନ୍ତ ଜେଲରୁ ଫେରିଲେ ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇଦେଲେ। ଯାହାକୁ ନେଇ ଖପ୍ପା ହୋଇଥିଲେ ଚମ୍ପାଇ। ଏହି ସୁଯୋଗକୁ ହାତ ଛଡ଼ା କରିନଥିଲା ବିଜେପି। ଚମ୍ପାଇଙ୍କୁ ଦଳରେ ମିଶାଇ ଆଦିବାସୀଙ୍କ ମନ ଜିଣିବାକୁ ଭରପୁର ଚେଷ୍ଟା କରିଥିଲା ଏନଡିଏ। କିନ୍ତୁ ଏହା କାମ ଦେଲାନି। ଚମ୍ପାଇ ଜିତିଗଲେ ସିନା, ବିଜେପିକୁ ସେତେଟା ଫାଇଦା ଦେଇପାରିଲେ ନାହିଁ।ଜେଏମଏମ ବିପୁଳ ବିଜୟ ପଛରେ ଆଉ ଏକ ଫ୍ୟାକ୍ଟର ହେଉଛି, ମହିଳା ଭୋଟ ବ୍ୟାଙ୍କ୍। ମହିଳାଙ୍କ ମନ ଜିଣିବା ପାଇଁ ଓଡ଼ିଶାର ସୁଭଦ୍ରା ଯୋଜନା ଭଳି ଝାଡ଼ଖଣ୍ଡରେ ଗୋଗୋ ଦିଦି ଯୋଜନା ଆଣିଥିଲା ବିଜେପି । ମାସକୁ ୨୧ ଶହ ଲେଖାଏଁ ବର୍ଷକୁ ୨୫ ହଜାର ୨୦୦ ଟଙ୍କା ଦେବାକୁ ଘୋଷଣା କରିଥିଲା ବିଜେପି ।

ହେଲେ ମିହଳା ଭୋଟର ମାନେ ଏହି ପ୍ରଲୋଭନରେ ଭଳି ଯାଇ ନଥିଲେ। ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ମହିଳାଙ୍କ ମନ ଜିଣିବାରେ ସଫଳ ହୋଇଥିଲେ । କଳ୍ପନାଙ୍କ ଦମଦାର ଭାଷଣ ସେମାନଙ୍କ ମନକୁ ଛୁଇଁଥିଲା। ଜଣେ ଆଦିବାସୀ ପୁଅକୁ ଜେଲ୍‌ରେ ପୂରାଇ ବିଜେପି କ୍ଷମତା ଦଖଲ କରିବାକୁ ଚାହୁଁଛି ବୋଲି ପ୍ରଚାର କରିଥିଲେ କଳ୍ପନା। ଝାଡ଼ଖଣ୍ଡର ୮୧ ବିଧାନସଭା ଆସନ ମଧ୍ୟରୁ ୬୮ଟିରେ ମହିଳା ଭୋଟରଙ୍କ ମତଦାନ ହାର ଅଧିକ ରହିଛି ।

Leave a Reply

Your email address will not be published. Required fields are marked *