କଡ଼ ଲେଉଟାଉଛି କି ରାଜ୍ଯ କଂଗ୍ରେସ ରାଜନୀତି ?

ଭୁବନେଶ୍ବର, ୨୧/୧ : ନିର୍ବାଚନ ପରେ ଖାଲି ପଡ଼ିଛି ମୁଖିଆ ପଦବୀ । କେବେ ସୁଧୁରିବ କଂଗ୍ରେସ ସ୍ଥିତି । ଯେତିକି ଦିନ ଗଡ଼ୁଛି କିଏ ହେବ ମୁଖିଆ ତାକୁ ନେଇ ଚାଲିଛି ସସପେନ୍ସ। ନିର୍ବାଚନ ପରେ ସ୍ଥାଣୁ ପାଲଟିଛି ରାଜ୍ୟ କଂଗ୍ରେସ । ରାଜରାସ୍ତାରେ ଗର୍ଜନ ହେଉଛି କିନ୍ତୁ ମୁରବୀ ବିହିନ ଭାବେ ଚାଲିଛି କଂଗ୍ରେସ । କିଏ ହେବ ମୁଖିଆ ତାକୁ ନେଇ ଚାଲି ରଣନୀତି । ରାଜ୍ୟ କଂଗ୍ରେସ ପ୍ରାୟ ୩ଦଶନ୍ଧି ହେବ ସରକାରକୁ ଆସିପାରୁନାହିଁ । ଲୋକଙ୍କ ଆସ୍ଥାଭାଜନ ହେବାକୁ ପ୍ରୟାସ ଜାରି ରଖିଛି। ମାତ୍ର ଲୋକେ ଗ୍ରହଣ କରିପାରୁନାହାନ୍ତି । ବୟାନ ବାଜିରେ ବ୍ୟସ୍ତ ରହୁଛନ୍ତି ବରିଷ୍ଠ । ମାତ୍ର ଏବେ ନୂଆ ଷ୍ଟ୍ରାଟେଜି ନଜରକୁ ଆସିଛି । ଯାହାକୁ ଦେଖି ଏବେ ଟୁପୁରୁଟାପୁରୁ ହେବାକୁ ଲାଗିଛନ୍ତି ଲୋକେ ଏବେ କଡ଼ ଲେଉଟାଉଛି କି ରାଜ୍ଯ କଂଗ୍ରେସ ରାଜନୀତି ? ଯୁବ ଓ ଛାତ୍ର ନେତାଙ୍କୁ ବାଟ ଛାଡ଼ିଛନ୍ତି ବରିଷ୍ଠ । ଯେତେବେଳେ ଛାତ୍ର, ଯୁବ ଓ ମହିଳା କଂଗ୍ରେସ ସଭା ସମିତି କରନ୍ତି ସେତେବେଳେ ବରିଷ୍ଠ ନେତା ମାନେ ଆଗରେ ବସି ଭାଷଣ ମାରନ୍ତି। ନୂଆଙ୍କୁ ସୁଯୋଗ ମିଲେନି। କିନ୍ତୁ ଓଡ଼ିଶା କଂଗ୍ରେସ ଇତିହାସରେ ପ୍ରଥମ ଘଟଣା ଦେଖିବାକୁ ମିଳିଛି କି ଯୁବ କଂଗ୍ରେସର ଯୁବ ଅସନ୍ତୋଷ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ମଞ୍ଚ ତଳେ ବସିଥିଲେ । ଆଉ ଯୁବ ଓ ଛାତ୍ର ନେତା ମଞ୍ଚରେ ବସି ଦେଇଥିଲେ ଭାଷଣ ।ଯାହା କେବେ ଆଖି ଦେଖି ନଥିଲା କି ଭାବି ନଥିଲା ଦେଖିବ ବୋଲି, ସେଭଳି କିଛି ରୋଚକ ଦୃଶ୍ୟ ରାଜ୍ୟ କଂଗ୍ରେସ ଭବନରେ ଦେଖିବାକୁ ମିଳିଛି ।

ଯୁବ ଅସନ୍ତୋଷ ସମାବେଶ ବେଳେ ଷ୍ଟେଜ୍ ତଳେ ବସି ଯୁବ ଓ ଛାତ୍ର ନେତାଙ୍କ ଭାଷଣ ଶୁଣିଛନ୍ତି ବରିଷ୍ଠ କଂଗ୍ରେସ ନେତା । ମଞ୍ଚ ତଳେ ବସିଥିଲେ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ରାଉତ ଓ ଜଗନ୍ନାଥ ପଟ୍ଟନାୟକ। ରାଜ୍ୟ କଂଗ୍ରେସର ଏମାନେ ବଡ ଚେହେରା ତଥା ଭେଟରାନ ଲିଡର। ଦିନ ଥିଲା ଏମାନେ ସମସ୍ତେ ମନ୍ତ୍ରୀ ଥିଲେ। ରାଜ୍ୟ ରାଜନୀତିରେ ଏହି ଜଣାଶୁଣା ଚେହେରା କଂଗ୍ରେସର ସବୁ କାର୍ଯ୍ୟକ୍ରମରେ ଆଗକୁ ଆସିଥାନ୍ତି। ଦଳ ପାଇଁ ଫାଇଟ୍‌ କରିଥାନ୍ତି, ହେଲେ ଏବେ ବଦଳିଥିବା ସମୟକୁ ଗ୍ରହଣ କରି ମଞ୍ଚ ତଳେ ବସିଛନ୍ତି। ଆଉ ମଞ୍ଚ ଉପରେ ରାଜୀବ ପଟ୍ଟନାୟକ, ୟାଶିର ନୱାଜ, ରଣଜିତ୍ ପାତ୍ର, ବିଧାୟକ ପବିତ୍ର ସାଉଁତାଙ୍କ ଭଳି ଯୁବ ଓ ଛାତ୍ର ଚେହେରା ଅଛନ୍ତି । ବିଧାୟକ ପବିତ୍ର ଶାଉନ୍ତା କହିଛନ୍ତି ବରିଷ୍ଠ ଆମର ମାର୍ଗ ଦର୍ଶକ।

ସେମାନେ ଆମକୁ ବାଟ ଛାଡ଼ି ଦେଇଛନ୍ତି।କଂଗ୍ରେସରେ ବରିଷ୍ଠମାନେ ଜାଗା ମାଡ଼ି ବସି ପଡୁଥିବାରୁ ନୁଆଙ୍କୁ ମିଳୁନଥିଲା ସୁଯୋଗ। ଯାହାକି ଭଲ ନେତୃତ୍ଵ ତିଆରି କରିବାରେ ସଙ୍କଟ ସୃଷ୍ଟି ହୋଇଥିଲା। ବିଳମ୍ବରେ ହେଲେ ବି ବରିଷ୍ଠ ନେତା ଏହାକୁ ବୁଝି ପାରି ଯୁବକଙ୍କୁ ଦେଇଛନ୍ତି ସୁଯୋଗ ।

Leave a Reply

Your email address will not be published. Required fields are marked *