ପାଣ୍ଡିଆନଙ୍କଠାରୁ ନବୀନଙ୍କ ମୋହ ଛାଡ଼ୁନି

ଭୁବନେଶ୍ୱର, ୫/୧୧ : ରାଜ୍ୟ ବିଜୁ ଜନତା ଦଳ ଦୀର୍ଘ ଦିନ ଧରି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଶାସନ କ୍ଷମତାରେ ରହିଆସିଥିଲା । ମାତ୍ର ନବୀନ ବାବୁ ନିଜର ଉତ୍ତରାଧିକାରୀ ଭାବେ କାହାକୁ ଚୟନ କଲେ ନାହିଁ । ସେ ନିଜେ ମୁଖ୍ୟମନ୍ତ୍ରୀ ଏବଂ ଦଳର ସଭାପତି ପଦରେ ରହିବା ଫଳରେ ଦଳର ଅନ୍ୟ କୌଣସି ବରିଷ୍ଠ ନେତା ଏହି ପଦବୀରେ ରହିବାର ସୁଯୋଗ ପାଇଲେ ନାହିଁ ।

ଗତ ସାଧାରଣ ନିର୍ବାଚନରେ ଦଳର ଅନେକ ବରିଷ୍ଠ ନେତା ଦଳୀୟ ଟିକେଟରୁ ବଞ୍ଚିତ ହେଲେ । ସେମାନଙ୍କ ସ୍ଥାନରେ ଦଳପ୍ରତି ଆଦୌ ଅନୁଗତ୍ୟ ନଥିବା ବ୍ୟକ୍ତିଙ୍କୁ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ କରାଗଲା ମାତ୍ର ଲୋକେ ଏଭଳି ପ୍ରାର୍ଥୀଙ୍କୁ ଗ୍ରହଣ କଲେନାହିଁ । ଯାହାଫଳରେ ଗତନିର୍ବାଚନରେ ଦଳ ମାଟିକାମୁଡି ଦେଲା । ଗତ ନିର୍ବାଚନରେ ବିଜେଡି ହାରିବା ନେଇ ଦଳର କେତେକ ବରିଷ୍ଠ ନେତା ଦଳର ସୁପ୍ରିମୋଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ ଲାଗି ମଧ୍ୟ ପଛଘୁଞ୍ଚା ଦେଉନାହାଁନ୍ତି । କେତେକ ବରିଷ୍ଠ ନେତା ଦଳ ଉପରୁ ଆସ୍ଥା ହରାଇ ଦଳଛାଡି ବିଜେପିରେ ଯୋଗ ଦେଇଛନ୍ତି । ଦଳର ସୁପ୍ରିମୋଙ୍କ ମତିଗତିକୁ ନେଇ କେତେକ ବରିଷ୍ଠ ନେତା ନିଜର ଭବିଷ୍ୟତ କଣ ହେବ ତାହା ଚିନ୍ତା କରୁଛନ୍ତି ।

ବିଜେଡିର ବହୁ ବିଧାୟକ ନିଜର ଭବିଷ୍ୟତ ବଞ୍ଚ।ଇବାକୁ ବିଜେପିରେ ମିଶିବା ନେଇ ପ୍ରସ୍ତୁତି ଚଳାଇଛନ୍ତି । ଦଳର ଅନେକ ନେତାଙ୍କ ଭିତରେ ଦଳର ସ୍ଥିତିକୁ ନେଇ ନାନା ପ୍ରଶ୍ନବାଚୀ ଦେଖା ଦେଇଛି ବରିଷ୍ଠ ନେତା ମାନେ ବିଭିନ୍ନ ସ୍ଥାନରେ ବୈଠକ କରି ଦଳର ସ୍ଥିତି ଏବଂ ସେମାନଙ୍କର ଭବିଷ୍ୟତ ସମ୍ପର୍କରେ ଚର୍ଚ୍ଚା କରୁଛନ୍ତି । ଗତ ନିର୍ବାଚନରେ ଦଳର ଚରମ ବିପର୍ଯ୍ୟୟ ପାଇଁ ଦଳର ବହୁନେତା ପାଣ୍ଡିଆନ୍‌ଙ୍କୁ ଦାୟୀ କରୁଥିଲେ ମଧ୍ୟ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ତାଙ୍କ ପ୍ରତି ମୋହ ଭଙ୍ଗ ହେଉନଥିବା ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତିରେ ଦଳର ଅସ୍ତିତ୍ୱ ଆଗାମୀ ଦିନରେ ଦୋହଲି ଯିବା ସମ୍ଭାବନାକୁ ଆଦୌ ସହଜରେ ଏଡାଇ ହେବ ନାହିଁ ।

Leave a Reply

Your email address will not be published. Required fields are marked *