କିଟ୍ ପ୍ରସଙ୍ଗରେ ଧୋଇଗଲା କଂଗ୍ରେସର ସଂକଳ୍ପ ପଦଯାତ୍ରା !

ଭୁବନେଶ୍ବର, ୨୨/୨ : ରାଜ୍ୟରେ ସଙ୍ଗଠନକୁ ସୁଦୃଢ କରିବା ଓ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳର ରଣନୀତି ପ୍ରସ୍ତୁତ କରିବାକୁ କଂଗ୍ରେସ ଆରମ୍ଭ କରିଥିଲା ସଂକଳ୍ପ ପଦଯାତ୍ରା । ପୁରୀ ଅଭିମୁଖେ ଯାଇଥିଲା ପଦଯାତ୍ରା । ଭୁବନେଶ୍ବର ବିମାନବନ୍ଦରରୁ ପୁରୀ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ ସଂକଳ୍ପ ପଦଯାତ୍ରା ବାହାରିଲା । ମାତ୍ର ରାଜ୍ୟରେ କିଟ୍ ପ୍ରସଙ୍ଗ ଯେପରି ମଳିନ କରିଦେଇଛି କଂଗ୍ରେସର ସଂକଳ୍ପ ପଦଯାତ୍ରାକୁ । ଲୋକଙ୍କ ପାଖରେ ପହଞ୍ଚି ପାରିଲାନି କଂଗ୍ରେସର ସଂକଳ୍ପ ପଦଯାତ୍ରାର ଖବର । ଏ ନେଇ ଏ‌ବେ ସବୁଠି ଚର୍ଚ୍ଚା । ଓଡ଼ିଶା ପ୍ରଦେଶ କଂଗ୍ରେସର ନୂତନ ସଭାପତି ଭକ୍ତ ଚରଣ ଦାସ ଦଳର ଦାୟିତ୍ୱ ନେବା ପରେ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ସଂକଳ୍ପ ପଦଯାତ୍ରା କରିଥିଲେ । ଲକ୍ଷ ଲକ୍ଷ ସମର୍ଥକଙ୍କ ସହିତ ଲଗାତାର ତିନି ଦିନ ଧରି ପାଦରେ ଚାଲିଚାଲି ଶ୍ରୀକ୍ଷେତ୍ରକୁ ଯିବା ବାଟରେ କଂଗ୍ରେସ ନେତା, କର୍ମୀ, କଂଗ୍ରେସ ପ୍ରେମୀ ଓ ଜନସାଧାରଣଙ୍କ ସହ ସମ୍ପର୍କ ଯୋଡ଼ି ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ପାଇଁ ସଂକଳ୍ପ ନେଇଛନ୍ତି ।

ପରେ କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ ଭୁବନେଶ୍ୱରରୁ ପୁରୀ ଯିବା ବାଟରେ, କଂଗ୍ରେସକୁ ଭଲ ପାଉଥିବା ସାଧାରଣ ଜନତାଙ୍କ କଂଗ୍ରେସକୁ ଭଲପାଇବା ଓ ବିପୁଳ ସମର୍ଥନ ଆମ ସମସ୍ତଙ୍କ ମନୋବଳ ବଢ଼ାଇବାରେ ସହାୟକ ହୋଇଛି । ମହାପ୍ରଭୁ ଜଗନ୍ନାଥଙ୍କ କୃପା କରୁଣା କଂଗ୍ରେସ ଉପରେ ରହିଛି । ଓଡ଼ିଶା ଜନସାଧାରଣଙ୍କ ପାଖକୁ ଯାଇ ସେମାନଙ୍କ ବିଶ୍ୱାସ ଜିତିବା ଆମର ପ୍ରଥମ କର୍ତବ୍ୟ ହେବ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି ।ଓଡ଼ିଶାର ନୂତନ ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ପୂର୍ବତନ ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡ. ଗିରିଧର ଗମାଙ୍ଗୋ, ପ୍ରାକ୍ତନ ସାଂସଦ ଡଃ ରାମଚନ୍ଦ୍ର ଖୁଂଟିଆ, ଜଗନ୍ନାଥ ପଟ୍ଟନାୟକ, ଅମର ପ୍ରଧାନ, ନକୁଳ ନାୟକ, ପ୍ରାକ୍ତନମନ୍ତ୍ରୀ ବିଜୟଲକ୍ଷ୍ମୀ, ଓଡ଼ିଶା ସହ ପ୍ରଭାରୀ ଶାହାନୱାଜ ଚୌଧୁରୀ, ରୋଜାଲିନ ତିର୍କି, ଅନନ୍ତ ସେଠୀ, ଶରତ ରାଉତ, ପ୍ରାକ୍ତନ ବିଧାୟକ ସନ୍ତୋଷସିଂ ସାଲୁଜା, ଡଃ. ଦେବାଶିଷ ପଟ୍ଟନାୟକ, ନବଜ୍ୟୋତି ପଟ୍ଟନାୟକ, ବିଶ୍ୱିଜିତ ଦାସ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ମାତ୍ର ସବୁ ପରେ ଏବେ ସାଧାରଣରେ ଚର୍ଚ୍ଚା ହେଉଛି କି ରାଜ୍ୟରେ ବର୍ତ୍ତମାନ କିଟ୍ ପ୍ରସଙ୍ଗ ଚାଲିଥିବାବେଳେ କଂଗ୍ରେସର ସଂକଳ୍ପ ପଦଯାତ୍ରା ଯେମିତି ଧୋଇଗଲା । କାରଣ ଲୋକଙ୍କ ପାଖରେ ଠିକରେ ପହଞ୍ଚି ପାରିଲାନି ପଦଯାତ୍ରାର ସ୍ବର । ଯେତିକି ମାତ୍ରାରେ ଖବର ପ୍ରଚାରିତ ହେବା କଥା ସେହି ମାତ୍ରାରେ ପହଞ୍ଚି ପାରିନଥିବା ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।