‘କିଟ୍‘ରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ; କମିଟି ସାମ୍ନାରେ ହାଜର ହେଲେ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର,୨୧/୨ : କିଟ୍‌ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହି ଘଟଣାକୁ ନେଇ ବିଧାନସଭାରୁ ରାଜ ରାସ୍ତା ପର୍ଯ୍ୟନ୍ତ ସବୁଠି କିଟ୍‌ କର୍ତ୍ତୃପକ୍ଷଙ୍କୁ ଜୋର୍‌ଦାର୍‌ ବିରୋଧ କରାଯାଉଛି । କିଟ୍‌ ବିଶ୍ୱ ବିଦ୍ୟାଳୟରେ ପଢ଼ୁଥିବା ନେପାଳ ଛାତ୍ରଛାତ୍ରୀଙ୍କ ସହ ଘଟିଥିବା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଆଜି କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଚ୍ଚସ୍ତରୀୟ କମିଟି ସାମ୍ନାରେ ହାଜର ହୋଇଛନ୍ତି ।

ଏହା ପୂର୍ବରୁ କିଟ୍ କର୍ମଚାରୀ ଜୟନ୍ତୀ ନାଥ, ଆସୋସିଏଟ ପ୍ରଫେସର ମଞ୍ଜୁଷା ପାଣ୍ଡେ ହାଜର ହୋଇ ପକ୍ଷ ରଖିଥିଲେ। ସେହିପରି କମିଟି ଆଗରେ କିଟ୍ ଭିସି ଓ ରେଜିଷ୍ଟ୍ରାର ବୟାନ ରେକର୍ଡ଼ ପାଇଁ ହାଜର ହୋଇଥିଲେ । ପ୍ରକାଶ ଯେ, ଆଜି କମିଟି ପାଖରେ ହାଜର ହେବାକୁ ୮ଜଣଙ୍କୁ ନୋଟିସ୍ ଦିଆଯାଇଛି ।

କିଟ୍ କାଣ୍ଡରେ ଯାହାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେମାନଙ୍କୁ ପଚରାଉଚରା ପାଇଁ ଉଚ୍ଚସ୍ତରୀୟ କମିଟି ନୋଟିସ୍ ପଠାଇଛି । କିଟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ବିବାଦ ତେଜିବା ପରେ ସରକାର ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଥିଲେ ରାଜ୍ୟ ସରକାର ।