ଭୁବନେଶ୍ୱର,୪/୩ : ମାର୍ଚ୍ଚ ୫ ବୁଧବାର ରାଜ୍ୟର ସମସ୍ତ ସ୍କୁଲ ଖୋଲା ରହିବ । ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ସ୍ବାଭାବିକ ଭାବେ କାର୍ଯ୍ୟ କରିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏ ନେଇ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି ।ସୂଚନାଯୋଗ୍ୟ, ପଞ୍ଚାୟତିରାଜ ଦିବସ ପାଳନ ପାଇଁ ପୂର୍ବରୁ ମାର୍ଚ୍ଚ ୫କୁ ଛୁଟି କରାଯାଉଥିଲା । ମାତ୍ର ଗତକାଲି ସରକାର ଏପି୍ରଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ କରାଯିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଆସନ୍ତାକାଲି ମାର୍ଚ୍ଚ ୫ରେ ଥିବା ଏହି ଛୁଟିକୁ ବାତିଲ କରାଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ପଞ୍ଚାୟତିରାଜ ଦିବସ ଉତ୍ସାହର ସହିତ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ହେବ। କିନ୍ତୁ ଏହି ଦିବସକୁ ସରକାରୀ ଛୁଟି ଭାବେ ପାଳନ କରାଯିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।
