ଭୁବନେଶ୍ବର,୩/୩ : ମ୍ୟାନେଜ ମାଷ୍ଟରଙ୍କ ମ୍ୟାନେଜ ନୀତି । ଗଳାବାଟରେ ମ୍ୟାନେଜ କରି ସୋସିଆଲ ମିଡ଼ିଆରେ ଭୁଲ ମାଗି ଖସିଯିବାକୁ ବସିଛନ୍ତି ବାବୁ ଅଚ୍ୟୁତ । ଶିକ୍ଷା ଦଲାଲର କଳାକାରନାମା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ତଥାପି ସବୁ କିଛି ଯେମିତି ଠିକ୍ ଠାକ୍ ଚାଲିଛି ସେ ନେଇ ବେଶ ଅଭିନୟକରୁଛି ଶିକ୍ଷା ଦଲାଲ । ନା ହେଲା ଆକ୍ସନ ନା କିଛି ବିରୋଧ । ସବୁ କିଛି ଗଳାବାଟରେ ମ୍ୟାନେଜ ହୋଇଗଲା । ଏବେ ସବୁ ଯେମିତି ଚୁପଚାପ ବସି ନାଟକ ଦେଖୁଛନ୍ତି । କଳାସାମ୍ରାଜ୍ୟର କଳା ଚିଠା ଧିରେ ଧିରେ ଖୋଲିବାରେ ଲାଗିଛି ।
ଜମି ମାଫିଆର ଦାଦା ଗିରି ଏବେ ପ୍ରାୟ ନିରବ ରହିଛି । କିନ୍ତୁ ଗୋଟିଏ ଭରସା ପାଲଟିଛି ସୋସିଆଲ ମିଡ଼ିଆ । ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଏଠାରେ ସମସ୍ତ ନାଗରିକଙ୍କର ସମାନ ଅଧିକାର ରହିଛି। ବଡ଼ ସାନ, ଧନୀ ଗରିବ, ଉଚ୍ଚ ଜାତି ଛୋଟ ଜାତି, ନାରୀ ପୁରୁଷ, ଧାର୍ମିକ ଅଳ୍ପ ସଂଖ୍ୟକ ଓ ବହୁ ସଂଖ୍ୟକ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ସମସ୍ତ ନାଗରିକଙ୍କୁ ସୁରକ୍ଷା ଦେବା ସରକାରଙ୍କ ପ୍ରାଥମିକ ଦାୟିତ୍ଵ। ଅଥଚ ଛାତ୍ରୀଙ୍କ ଗଲା ତିନି ମାସର ଅଭିଯୋଗ ସତ୍ତ୍ୱେ କିଟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ କିପରି ନେଲେ ନାହିଁ ?ନେପାଳ ଛାତ୍ରୀଙ୍କ ନିର୍ଯାତନା ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ମାନବିକ ଅଧିକାର କମିଶନ ନିଜ ତରଫରୁ କୌଣସି ମାମଲା ରୁଜୁ କରି ତୁରନ୍ତ ତଦନ୍ତ କଲେନାହିଁ।
ଏହା ସେ ଚାହିଁଥିଲେ କରିପାରିଥାନ୍ତେ। ମହିଳା କମିଶନ ନୀରବ ରହିଛନ୍ତି। ଭୁବନେଶ୍ୱର ସାଂସଦ ଏବେ ବି ନୀରବ ଅଛନ୍ତି ଯଦିଓ କିଟ ତାଙ୍କର ସୀମା ମଧ୍ୟରେ ଆସୁଛି। ସ୍ଥାନୀୟ ବିଧାନସଭା ସଦସ୍ୟ ସେହି ଅଞ୍ଚଳକୁ ଏବେ ବି ବୋଧେ ଯାଇନାହାନ୍ତି। କାହିଁକି ? ଭାରତର ଗଣତାନ୍ତ୍ରିକ ସ୍ଥିତି, ମାନବିକ ଅଧିକାରର ସୁରକ୍ଷା, ସରକାରଙ୍କ ପ୍ରତିଶୃତି ହେତୁ ବିଦେଶରୁ ଛାତ୍ରଛାତ୍ରୀମାନେ ଯୁଜିସି ଅନୁମୋଦିତ ପ୍ରାଇଭେଟ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥାନ୍ତି। ୟୁଜିସି ସ୍ଥିରୀକୃତ ନିୟମ ଅନୁସାରେ ବିଦେଶୀ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ଭାରତକୁ ଆସୁଛନ୍ତି। ଉକ୍ତ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ର ସରକାରଙ୍କ ଦାୟିତ୍ଵ ହେଉଛି ବିଦେଶୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଦେଇ ନିଜ ଦେଶକୁ ସମ୍ମାନର ସହିତ ପଠାଇବା।
ଉକ୍ତ ଛାତ୍ରୀଙ୍କ ପ୍ରତି ହୋଇଥିବା ଦାୟିତ୍ଵହୀନ ଆଚରଣ ଲାଗି ନା ଯୁଜିସି ନା କେନ୍ଦ୍ର ସରକାରଙ୍କ ବିଦେଶ ମନ୍ତ୍ରଣାଳୟ ଏଥିଲାଗି ନିଜକୁ ଦାୟୀ କରି ଯାଞ୍ଚ ପ୍ରକ୍ରିୟାରେ ରହିଥିବା ଦୁର୍ବଳତାକୁ ସଜାଡ଼ିବାର କୌଣସି ପ୍ରତିଶୃତି ବର୍ତ୍ତମାନ ପର୍ଯ୍ୟନ୍ତ ଦେଲେ ନାହିଁ। ଗଳାବାଟ ଓ ଗୋଟିଏ ଭିଡ଼ିଓ ଛାଡ଼ି ସବୁ କିଛି ଏବେ ମ୍ୟାନେଜ ହୋଇଗଲା ।