ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାମାନଙ୍କୁ ଫିଟନେସ୍ ମନ୍ତ୍ର ଦେଲେ ନୀତା ଅମ୍ବାନୀ

ମୁମ୍ବାଇ, ୮/୩ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ, ନୀତା ଅମ୍ବାନୀ ମହିଳାମାନଙ୍କୁ ଫିଟ୍ ରହିବାକୁ ଆହ୍ବାନ କରି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ସେ ମହିଳାମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି – “ତୁମେ ନିଜ ପାଇଁ ଶେଷ ଥର କେବେ କିଛି କରିଥିଲ?” ସେ କହିଛନ୍ତି ଯେ ଆମେ ମହିଳାମାନେ ସବୁବେଳେ ଅନ୍ୟମାନଙ୍କର ଯତ୍ନ ନେଉ – କେତେବେଳେ ଜଣେ ମା ଭାବରେ, କେତେବେଳେ ଜଣେ ସ୍ତ୍ରୀ ଭାବରେ, କେତେବେଳେ ଜଣେ ବୋହୂ ଭାବରେ ଏବଂ କେତେବେଳେ ଜଣେ ଝିଅ ଭାବରେ। ଆମର ଆବଶ୍ୟକତା ସବୁବେଳେ ଅନ୍ୟ କାହା ପାଇଁ ଥାଏ ଏବଂ ଏହି ବ୍ୟସ୍ତତାରେ ଆମେ ନିଜକୁ ଭୁଲିଯାଉ।”ସେ ଆମକୁ ମନେ ପକାଇ ଦେଇଛନ୍ତି ଯେ ଜୀବନର ଏହି ବ୍ୟସ୍ତବହୁଳତାରେ, ଆମର ଶରୀର ଧୀରେ ଧୀରେ ଆମକୁ ସଙ୍କେତ ଦେବାକୁ ଆରମ୍ଭ କରେ ଯେ ସବୁକିଛି ଆଉ ସମାନ ନାହିଁ, କିନ୍ତୁ ଆମେ ତାହା ଶୁଣିବା ପାଇଁ ସମୟ ପାଆନ୍ତି ନାହିଁ। ଆଉ ଯଦି ଆମେ ମହିଳାମାନେ ନିଜର ଯତ୍ନ ନେବୁ ନାହିଁ, ତେବେ କିଏ କରିବ? ୩୦ ବର୍ଷ ବୟସ ପରେ, ମହିଳାମାନଙ୍କ ମାଂସପେଶୀ ଓ ହାଡ଼ ଘନତ୍ଵ ଦୁର୍ବଳ ହେବାକୁ ଲାଗେ। ବୟସ ବୃଦ୍ଧି ସହିତ ଏହି ପ୍ରକ୍ରିୟା ଦ୍ରୁତ ହୁଏ।

ତେଣୁ, ୫୦ ଏବଂ ୬୦ ବର୍ଷ ବୟସ ପରେ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଏ।ନୀତା ଅମ୍ବାନୀ ତାଙ୍କ ଦୈନନ୍ଦିନ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବ୍ୟାୟାମକୁ ବର୍ଣ୍ଣନା କରି କହିଛନ୍ତି – “ମୋର ବୟସ ୬୧ ବର୍ଷ ଏବଂ ମୁଁ ସପ୍ତାହରେ ୫ ରୁ ୬ ଦିନ ବ୍ୟାୟାମ କରେ। କୌଣସି ଦିନ ଗୋଡ଼ର ବ୍ୟାୟାମ, ଆଉ କେଉଁ ଦିନ ଶରୀରର ଅନ୍ୟ ଭାଗ ଓ ଅଙ୍ଗର ବ୍ୟାୟାମ, କେତେବେଳେ ଯୋଗ, କେତେବେଳେ ପହଁରିବା, କେତେବେଳେ ଏକ ଘଣ୍ଟାର ନୃତ୍ୟ। ଯେତେବେଳେ ମୁଁ ଭ୍ରମଣ କରେ, ମୁଁ ୫୦୦୦-୭୦୦୦ ପାଦ ଚାଲିବାକୁ ଚେଷ୍ଟା କରେ।” ଖାଦ୍ୟ ଏବଂ ପାନୀୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ, ସେ ସମସ୍ତ ମହିଳାଙ୍କୁ ଆହ୍ବାନ କରିଛନ୍ତି – “ନିଜକୁ ଏକ ପ୍ରତିଶ୍ରୁତି ଦିଅ ଯେ ତୁମେ ନିଜ ପାଇଁ ସମୟ ଦେବ, ତୁମର ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବ ଏବଂ ତୁମର ଶକ୍ତିକୁ ଚିହ୍ନିବ। ତୁମେ ସପ୍ତାହରେ ୪ ଦିନ ମାତ୍ର ୩୦ ମିନିଟ୍ ବ୍ୟାୟାମ କରିବ।”

ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ବୟସ ସାଙ୍ଗରେ ଲଢ଼ିବାର ବିଷୟ ନୁହେଁ, ଏହା ହୋଉଛି ବୟସ ଅନୁସାରେ ଜୀବନ ବଞ୍ଚିବା ଶିଖିବା ବୋଲି ସେ କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ ଯଦି ମୁଁ ୬୧ ବର୍ଷ ବୟସରେ ଏହା କରିପାରୁଛି, ତେବେ ଆପଣମାନେ ମଧ୍ୟ ଏହା କରିପାରିବେ।ସୂଚନାଯୋଗ୍ୟ ଯେ ‘ହର୍ ସର୍କଲ’ ହେଉଛି ରିଲାଏନ୍ସ ଫାଉଣ୍ଡେସନର ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ଲାଟଫର୍ମ, ଯାହା ମହିଳା ସଶକ୍ତିକରଣ ପାଇଁ କାମ କରେ। ସେ ମହିଳାମାନଙ୍କୁ ଆଜି ପ୍ରଥମ ପଦକ୍ଷେପ ନେବାକୁ ଏବଂ ଆଗକୁ ଆସି ହର୍ ସର୍କଲର ‘ଷ୍ଟ୍ରଙ୍ଗ ହର୍’ ଅଭିଯାନର ଅଂଶ ହେବାକୁ ଆହ୍ୱାନ କରିଛନ୍ତି!

Leave a Reply

Your email address will not be published. Required fields are marked *