ବିଜେଡିକୁ ବଞ୍ଚେଇବାକୁ ଦିଲ୍ଲୀ ମୁହାଁ ନବୀନ !

ଭୁବନେଶ୍ବର,୧୩/୩ : ବିଜେଡିକୁ ବଞ୍ଚେଇବାକୁ ନବୀନ ଏବେ ଦିଲ୍ଲୀ ମୁହାଁ । ଇଣ୍ଡି ମେଣ୍ଟ ସାହାଯ୍ୟରେ ଅସ୍ଥିତ୍ୱ ବଞ୍ଚେଇବାକୁ ନବୀନଙ୍କ ଚେଷ୍ଟା । ଏଭଳି ବୟାନ ରଖିଛନ୍ତି ବିଜେପି ବିଧାୟକ ।ଗୁରୁବାର ବିଧାନସଭାରେ ବିଜେପିର ବିଧାୟକ ସରୋଜ ପାଢୀ, ନବୀନଙ୍କୁ ନେଇ ରଖିଥିଲେ ବଡ଼ ବୟାନ । କହିଥିଲେ, ଷ୍ଟାଲିନଙ୍କ ମନ୍ତ୍ରୀଙ୍କ ସହ ମିଟିଂ ପରେ ଏବେ, ଇଣ୍ଡି ମେଣ୍ଟ ମୁଁହା ହେଉଥିବା ସଙ୍କେତ ଦେଇଛନ୍ତି ନବୀନ ।

ଏଥିପାଇଁ ସେ ଦିଲ୍ଲୀ ମୁହାଁ ହେଇଛନ୍ତି । ତେବେ ନବୀନ କିନ୍ତୁ ଯାହାର ବି ସାହାରା ନିଅନ୍ତି, ତାକୁ ହିଁ ଧ୍ୱଂସ କରନ୍ତି । ବିଜେପି ସହ ରହି, ସେ ବିଜେପିକୁ ବି ଧ୍ୱଂସ କରିବାକୁ ଚାହୁଁଥିଲେ, ହେଲେ ଏବେ ନିଜ ଦଳ ଭୁଶୁଡିବାକୁ ବସିଲାଣି ବୋଲି କହି, ନବୀନଙ୍କୁ ତେରେଛା ତୀର ମାରିଛନ୍ତି ସରୋଜ ପାଢୀ ।ତେବେ ଓଡ଼ିଶାର ରାଜନୈତିକ ଇତିହାସରେ, ନବୀନ ଏବେ ଯାଏଁ କେବଳ ବିଜେପି ସହ ହିଁ ମେଣ୍ଟ କରିଛନ୍ତି । ୨୦୦୯ ମସିହା ପର୍ଯ୍ୟନ୍ତ ନବୀନ, ବିଜେପି ସହ ରହି ନିର୍ବାଚନ ଲଢିଥିଲେ । ହେଲେ ଏହାପରେ କିନ୍ତୁ, ସମଦୂରତ୍ୱ ନୀତି ଆପଣେଥିଲେ ଶଙ୍ଖ ସୁପ୍ରିମୋ ।

୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ନେଇ ତମାମ ଆଲୋଚନା ହେଇଥିଲା ସତ, ହେଲେ ଶେଷରେ କିନ୍ତୁ, ଦୁଇ ଦଳ ଭିତରେ ମେଣ୍ଟ ସମ୍ଭବ ହେଇନଥିଲା ।ଏବେ ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେପି ବି ଲଗାତାର, ବିଜେଡିକୁ ଟାର୍ଗେଟ୍ କରିବାରେ ବ୍ୟସ୍ତ । ଆଉ ଏଭଳି ସମୟରେ ଏବେ ଦଳ ବଞ୍ଚେଇବାକୁ ନବୀନ, କୁଆଡେ କଂଗ୍ରେସର ହାତ ଧରିପାରନ୍ତି ବୋଲି ସରୋଜ ପାଢୀ କହିବା ପରେ, ଏହି ଚର୍ଚ୍ଚା ରାଜ୍ୟ ରାଜନୀତିକୁ ସରଗରମ କରିଛି ।

Leave a Reply

Your email address will not be published. Required fields are marked *