ନିର୍ବାଚନ ଲଢିବେନି ନିରଞ୍ଜନ

ଭୁବନେଶ୍ବର,୨୫/୩ : ବିଧାୟକ ଭାବେ ଆଉ ନିର୍ବାଚନ ଲଢ଼ିବିନି। କିନ୍ତୁ ପ୍ରତ୍ୟକ୍ଷ ରାଜନୀତି ଛାଡ଼ିବିନି । ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ନିର୍ବାଚନ ଫଳାଫଳ ପ୍ରକାଶ ପରଠାରୁ ସେ ଏଭଳି ନିଷ୍ପତ୍ତି ନେଇସାରିଛନ୍ତି।

ସାମ୍ପ୍ରତିକ ରାଜନୀତିରେ ନୂଆ ଯୁବଗୋଷ୍ଠୀଙ୍କୁ ସୁଯୋଗ ଦେବାର ବେଳ ଆସିଛି। ତେଣୁ ବହୁ ଦିନ ଧରି ଗାଦି ମାଡ଼ି ବସିଥିବା ନେତାମାନେ ନୂଆ ଚେହେରାଙ୍କୁ ବାଟ ଛାଡ଼ିବା ଆବଶ୍ୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି, ‘ମୁଁ ଘସିପୁରାବାସୀଙ୍କ ପାଖରେ କୃତଜ୍ଞ। ସେମାନେ ୪ ଥର ମୋତେ ବିଧାନସଭାକୁ ପଠାଇଛନ୍ତି। ଭଣ୍ଡାରୀପୋଖରୀବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ଖୁବ କମ୍‌ ଭୋଟ୍‌ରେ ହାରିଥିଲେ ବି ସେମାନେ ମୋତେ ବହୁତ ଭଲ ଭୋଟ୍‌ ଦେଇଛନ୍ତି। ଭବିଷ୍ୟତରେ ମୁଁ ଘସିପୁରା ଓ ଭଣ୍ଡାରୀପୋଖରୀ ନିର୍ବାଚନମଣ୍ଡଳିବାସୀଙ୍କ ସେବା ଜାରି ରଖିବି।’ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଛଳରେ ନିରଞ୍ଜନ କହିଥିଲେ ନିର୍ବାଚନ ଲଢ଼ିବା ଲାଗି କୌଣସି ନିର୍ଦ୍ଦିଷ୍ଟ ବୟସ ନାହିଁ। କିନ୍ତୁ ବୟସାଧିକ୍ୟ କାରଣ ଓ ଯୁବପିଢ଼ିଙ୍କୁ ସୁଯୋଗ ଦୃଷ୍ଟିରୁ ବରିଷ୍ଠମାନେ ବାଟ ଛାଡ଼ନ୍ତୁ। ଏବେ ରାଜନୀତିରେ ନୀତି ଆଦର୍ଶ ପଛେଇ ଗଲାଣି।

ଟିକେଟ୍‌ ଆଶାରେ ନେତାଏ ସକାଳେ ବିଜେଡି, ଦିନରେ ବିଜେପି ଓ ରାତିରେ କଂଗ୍ରେସରେ ମିଶିଲେଣି। କିଏ କ’ଣ ସୁଯୋଗ ଦେଉଛି ତାହା ସେମାନଙ୍କ ପାଇଁ ବିଶେଷ ଗୁରୁତ୍ବ ରଖୁଛି। ଖାସ୍ ଏହି କାରଣରୁ ଅନେକ ପଥଭ୍ରଷ୍ଟ ହେଉଛନ୍ତି। ପ୍ରତ୍ୟେକ ରାଜନୈତିକ ଦଳର ନେତାମାନେ ନୂତନ ପିଢ଼ିକୁ ବାଟ ଛାଡ଼ନ୍ତୁ ବୋଲି ସେ ଆହ୍ବାନ ଦେଇଥିଲେ।

Leave a Reply

Your email address will not be published. Required fields are marked *