ବିଜେଡିର ନିଷ୍ପତ୍ତିକୁ ନେଇ ବରିଷ୍ଠ ନେତା ଖପ୍ପା

ଭୁବନେଶ୍ବର,୪/୪ : ୧ ତାରିଖରେ ବିରୋଧ କରିବାକୁ ନିଷ୍ପତ୍ତି, ଆଉ ୩ ତାରିଖରେ କୁହାଗଲା ବିବେକ ଅନୁସାରେ ଭୋଟ। କେନ୍ଦ୍ରର ୱାକଫ ସଂଶୋଧନ ବିଲ୍‌କୁ ନେଇ ବିଜେଡିର ଏଭଳି ନିଷ୍ପତ୍ତିକୁ ନେଇ ବରିଷ୍ଠ ନେତା ଖପ୍ପା। ବଦ୍ରୀ ପାତ୍ର ଏ କଥା ବି କହିଛନ୍ତି ଯେ କିଛି ଖେଳ ହୋଇଛି। ବିଜେଡିରେ ହଲଚଲ୍। ଦ୍ବନ୍ଦ୍ବରେ ନେତା। ଆଉ ପ୍ରଥମ ଥର ପାଇଁ ଖୋଲାଖୋଲି ମେଳି କରି ଦଳୀୟ ନିଷ୍ପତ୍ତି ବିରୁଦ୍ଧରେ ସ୍ବର ଉଠାଇଲେ ବରିଷ୍ଠ। କେନ୍ଦ୍ରର ୱାକଫ ସଂଶୋଧନ ବିଲ୍‌କୁ ନେଇ ଦଳୀୟ ନିଷ୍ପତ୍ତିର ପରିବର୍ତ୍ତନକୁ ହଜମ କରି ପାରିନାହାନ୍ତି ବରିଷ୍ଠ। ଏପ୍ରିଲ ୧ ତାରିଖରେ କୁହାଗଲା ୱାକଫ ସଂଶୋଧନ ବିଲକୁ ବିରୋଧ କରିବ ବିଜେଡି।

ଆଉ ଏପ୍ରିଲ ୩ରେ ରାଜ୍ୟସଭାରେ ଆଲୋଚନା ବେଳେ ବିଜେଡି ସାଂସଦ ମୁନା ଖା ୱାକଫ ସଂଶୋଧନ ବିଲକୁ ବିରୋଧ କରିବା କଥା କହିଲେ ।ହେଲେ ଏପ୍ରିଲ ୩ ତାରିଖ ଅପରାହ୍ନରେ ସାଂସଦ ସସ୍ମିତ ପାତ୍ର ସୋସିଆଲ ମିଡିଆରେ ଜଣାଇଲେ ଯେ ଭୋଟିଂକୁ ନେଇ କୌଣସି ଦଳୀୟ ହୁଇପ ନାହିଁ। ଅର୍ଥାତ ସାଂସଦମାନେ ବିବେକ ଅନୁସାରେ ଭୋଟ ଦେଇପାରିବେ। ତେବେ ଦଳର ଏଭଳି ଦୁଇ ପ୍ରକାର ଆଭିମୁଖ୍ୟ ନେତା ମାନଙ୍କୁ ଦ୍ବନ୍ଦରେ ପକାଇଛି। ବରିଷ୍ଠ ନେତା ମାନେ ଜାଣିବାକୁ ଚାହିଁଥିଲେ କେଉଁ ପରିସ୍ଥିତିରେ ଦଳୀୟ ନିଷ୍ପତ୍ତିରେ ପରିବର୍ତ୍ତନ ହେଲା ? ପ୍ରଥମେ ବିରୋଧ ପାଇଁ ନିଷ୍ପତ୍ତି ଏବଂ ପରେ ବିବେକ ଅନୁସାରେ ଭୋଟ ପାଇଁ କେଉଁ ପରିସ୍ଥିତିରେ ନିଷ୍ପତ୍ତି ହେଲା ? ଭୋଟିଂକୁ ନେଇ ବଦଳିଥିବା ନିଷ୍ପତ୍ତି ନବୀନଙ୍କ ନା ନିଷ୍ପତ୍ତି ପଛରେ ଆଉ କିଏ ? ଭୋଟିଂ ନିଷ୍ପତ୍ତି ପ୍ରସଙ୍ଗକୁ ନେଇ ଶଙ୍ଖ ଭବନରେ ଏକାଠି ହୋଇଥିଲେ ଦଳର ବରିଷ୍ଠ ନେତା। ବୈଠକ ପରେ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ପ୍ରଥମେ କୁହାଯାଇଥିଲା ବିଲକୁ ବିରୋଧ କରାଯିବ , ହେଲେ କାହିଁକି ସପକ୍ଷରେ ଭୋଟ ହେଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ। ସେପଟେ ବଦ୍ରୀ ପାତ୍ର ସିଧା ସିଧା କହିଥିଲେ କିଛି ଖେଳ ହୋଇଛି। ରାଜ୍ୟସଭାରେ ବିଜେଡିର ବିବେକ ଅନୁସାରେ ଭୋଟ ନିଷ୍ପତ୍ତି ଘଟଣା ପରେ ବିଜେଡି- ବିଜେପି ପୁରୁଣା ସମ୍ପର୍କ କଥା କହି ଟାର୍ଗେଟ କରିଛି କଂଗ୍ରେସ। କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ କହିଛନ୍ତି ସଂଖ୍ୟାଲଘୁଙ୍କୁ କଥା ଦେଇ ଠକିଛନ୍ତି।

ନବୀନଙ୍କ ଦିଲ୍ଲୀ ଗସ୍ତ ସମୟରେ ବିଜେଡି-ବିଜେପି ମଧ୍ୟରେ ଡିଲ ହୋଇଥିବା କହିଛନ୍ତି ପ୍ରସାଦ। ସେପଟେ ରାଜନୀତିକ ସମୀକ୍ଷକ ବିଚାର କରୁଛନ୍ତି କି NDA ସହ ସମ୍ପର୍କ ଖରାପ କରିବାକୁ ଚାହୁଁନି ବିଜେଡି। ଆଗରୁ ବି ଅନେକ ଥର କେନ୍ଦ୍ର ସରକାରକୁ ପ୍ରଂସଗ ଭିତ୍ତିକ ସମର୍ଥନ କିମ୍ବା ବିରୋଧ କରିଛି ବିଜେଡି। ହେଲେ ଏଥର ପ୍ରଥମ ଥର ପାଇଁ ବିଜେଡିର ବରିଷ୍ଠ ନେତା ମାନେ ଦଳୀୟ ନିଷ୍ପତ୍ତିକୁ ଖୋଲା ଖୋଲି ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *