ବିବେକାନୁମୋଦିତ ଭୋଟ ଦେବା ପାଇଁ ନବୀନ ନିବାସରୁ ନିର୍ଦ୍ଦେଶ ଦିଆଯାଇଛି : ସାଂସଦ ଶୁଭାଶିଷ ଖୁଣ୍ଟିଆ

ଭୁବନେଶ୍ବର,୭/୪ : ଯାହା ପୂର୍ବରୁ ଅନୁମାନ କରାଯାଉଥିଲା ଆଜି ତାହା ସତ ହୋଇଛି । ବିବେକାନୁମୋଦିତ ଭୋଟ ଦେବା ପାଇଁ ନବୀନ ନିବାସରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ସସ୍ମିତ ପାତ୍ରଙ୍କର କୌଣସି ଭୂମିକା ନାହିଁ। ଏ କଥା କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ। ସେ ଗଣମାଧ୍ୟମକୁ କହିଛନ୍ତି ଯେ, ବିନା ନବୀନ ନିବାସ ବା ଆମର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କେହି ନିଷ୍ପତି ନେଇପାରିବେ ନାହିଁ।ସେ ପୁଣି କହିଛନ୍ତି ଯେ, ୱାକଫ ବିଲ ବିରୋଧରେ କି ସପକ୍ଷରେ ଯିବା ସେ କଥା ନବୀନ କେଉଁଠି କିଛି କହି ନାହାଁନ୍ତି। ଯେତେବେଳେ ଭୋଟ ଆସିଲା ସେତେବେଳେ ଆମ ସଂସଦୀୟ ଦଳର ନେତା ସସ୍ମିତ ପାତ୍ର ଟୁଇଟ କରି ବିବେକାନୁସାରେ ଭୋଟ ଦେବା ପାଇଁ କହିଲେ।

ଏହା ନବୀନଙ୍କ ନିଷ୍ପତି।ସେ ଏପରି ନିଷ୍ପତି ନେବାର କାରଣ ହେଲା ଯେ, ଆମ ବିଜେଡି ରାଜ୍ୟ ସଭା ସଦସ୍ୟ ମଧ୍ୟରେ ଜଣେ ମୁସଲିମ ଏବଂ ଜଣେ ଖ୍ରୀଷ୍ଟିୟାନ ଅଛନ୍ତି। ମୁସଲିମ ହେଲେ ମୁନ୍ନା ଖାଁ ଏବଂ ଖ୍ରୀଷ୍ଟିୟାନ ହେଲେ ସସ୍ମିତ ପାତ୍ର। ତେଣୁ ଦୁଇଜଣ ସଂଖ୍ୟାଲଘୁ ସଂପ୍ରଦାୟର ସାଂସଦ ଥିବାରୁ ଆମର ନେତା ନବୀନ ବାବୁ ବିବେକାନୁସାରେ ଭୋଟ ଦେବା ପାଇଁ କହିଲେ। ତାହାକୁ ସସ୍ମିତ ଟୁଇଟ କରି ଜଣାଇଲେ। ଶୁଭାଶିଷଙ୍କର ଏପରି ବୟାନକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *