ନୂଆଦିଲ୍ଲୀ,୧୨/୪ : କାମ କରୁନି ୟୁପିଆଇ। ଶନିବାର ସକାଳେ ଭାରତରେ ୟୁପିଆଇ କାମ କରୁ ନ ଥିବା ଜଣାପଡ଼ିଛି । ଏହି ସମସ୍ୟା କାରଣରୁ ଲକ୍ଷ ଲକ୍ଷ ଲୋକେ ଅନ୍ଲାଇନ୍ରେ ଟଣା ନେଣଦେଣ କରି ପାରି ନାହାଁନ୍ତି । ପ୍ରାୟ ୩ ଘଣ୍ଟା ହେବ ୟୁପିଆଇ କାମ ନ କରିବା ଫଳରେ ଫୋନ୍ ପେ, ଗୁଗଲ ପେ ଓ ପେଟିଏମ୍ ଭଳି ଲୋକପ୍ରିୟ ଆପ୍ରେ ଟଙ୍କା ନେଣଦେଣ ସମ୍ଭବ ହୋଇନାହିଁ । ଫଳରେ ବ୍ୟବହାରକାରୀ ହନ୍ତସନ୍ତ ହୋଇଛନ୍ତି । ଦିଲ୍ଲୀ, ଓଡିଶା ସମେତ ବିଭିନ୍ନ ରାଜ୍ୟରେ ଏହି ସମସ୍ୟା ଦେଖାଦେଇଛି।
ଏଥିପାଇଁ ଗ୍ରାହକ ଓ ବ୍ୟବସାୟୀ ଉଭୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।ମଧ୍ୟାହ୍ନ ସୁଦ୍ଧା, ୟୁପିଆଇ ସେବା ସମ୍ପର୍କରେ ପ୍ରାୟ ୧,୧୬୮ ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ଏଥିମଧ୍ୟରୁ ୯୬ ଜଣ ବ୍ୟବହାରକାରୀ ଗୁଗଲ ପେ ଏବଂ ୨୩ ଜଣ ପେଟିଏମ୍ରେ ସମସ୍ୟା ବିଷୟରେ ରିପୋର୍ଟ କରିଥିଲେ। ଏହି ପ୍ରସଙ୍ଗରେ ୟୁପିଆଇ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦିଆଯାଇ ନାହିଁ, କିନ୍ତୁ ଗତ କିଛି ଦିନ ମଧ୍ୟରେ ଏହା ଅନେକ ଥର ଠପ୍ ହୋଇଛି।