ମୁହାଁମୁହିଁ ହେଲେ ପ୍ରଭାତୀ-ସ୍ନେହାଙ୍ଗିନୀ !

ନୂଆପଡ଼ାରେ ଧୀରେ ଧୀରେ ବଢୁଛି ଉପନିର୍ବାଚନ ତାତି । ୩ ଦଳ ମୈଦାନକୁ ଓହ୍ଲାଇ ଜବରଦସ୍ତ ପ୍ରଚାର କରୁଥିବା ବେଳେ ଏବେ ଆରମ୍ଭ ହୋଇଯାଇଛି ଆରୋପ ଓ ପ୍ରତ୍ୟାରୋପ ରାଜନୀତି । ପରସ୍ପର ବିରୋଧରେ ବିଷ ଓଗାଳି ନିଜ ନିଜ ସପକ୍ଷରେ ଭୋଟ ଏକାଠି କରିବାକୁ ନୂଆ ନୂଆ ଫନ୍ଦି କରୁଛନ୍ତି ୩ ଦଳ.

ଏସବୁ ଭିତରେ ଏବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ମଧ୍ୟରେ ଦେଖିବାକୁ ମିଳିଛି କଥା କଟାକଟି। ଯାହାର ଫାଇଦା ଉଠୁଚି କଂଗ୍ରେସ। ଦଳୀୟ ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କ ପାଇଁ ପ୍ରଚାର କରିବାକୁ ଲଗାତର ୨ ଦିନ ଧରି ନୂଆପଡାରେ ରହିଥିଲେ ପ୍ରଭାତୀ । ଏହି ସମୟରେ ବିଜେଡିକୁ ଟାର୍ଗେଟ କରି ପ୍ରଭାତୀ କହିଥିଲେ, ବିଜେଡିକୁ ନୂଆପଡାରୁ ପ୍ରାର୍ଥୀ ମିଳିଲେ ନାହିଁ। ତେଣୁ ବାହାରୁ ପ୍ରାର୍ଥୀ ଆଣିଛନ୍ତି। ନିର୍ବାଚନ ପରେ ସେମାନେ ନଥିବେ। କେବଳ ଜୟ ଢୋଲକିଆ ଆପଣଙ୍କ ପାଖରେ ଥିବେ। ଏହାସହ ସେ ସ୍ନେହାଙ୍ଗିନୀଙ୍କୁ ବାପ ଘର ବହୁ ଦୂର, ମାମୁଁ ଘର ସାତ ପର ବୋଲି କହି ତାଚ୍ଛଲ୍ୟ କରିଥିଲେ। ତେଣୁ ସେ ଏଠି ଶାସନ କରିବାକୁ କଣ ଆସିବେ ବୋଲି ପ୍ରଶ୍ନ କରିଥିଲେ ପ୍ରଭାତୀ।

ସେପଟେ ପ୍ରଭାତୀଙ୍କ କଟାକ୍ଷର ଜବାବ ରଖିଛନ୍ତି ସ୍ନେହାଙ୍ଗିନୀ ଛୁରିଆ। ବିଜେପି ସହ ମହିଳାମାନେ ନାହାନ୍ତି ବୋଲି ସେ କହିଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ସଭାକୁ ମହିଳା ଯାଉନାହାନ୍ତି, ମିଶନ ଶକ୍ତିର ମହିଳା ନବୀନ ପଟ୍ଟନାୟକ ଓ ବିଜେଡି ସହ ରହିଥିବା ସେ କହିଛନ୍ତି । ଅନ୍ୟପଟେ ଦିନକ ପୂର୍ବକୁ ସରକାରୀ ଦଳ ନିର୍ବାଚନ ଆଚରଣ ବିଧି ଉଲଂଘନ କରୁଥିବା ଅଭିଯୋଗ ଆଣିଥିଲା କଂଗ୍ରେସ । ଏହାସହ ପ୍ରଭାତୀ ପରିଡ଼ା ସେଠାରେ ସୁଭଦ୍ରା ଶକ୍ତି ସମାରୋହ କାର୍ଯ୍ୟକ୍ରମ କରିଛନ୍ତି । ଯାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଭୟ ବିଜେଡି ଓ କଂଗ୍ରେସ ଦାବି କରିଛନ୍ତି । ତେବେ ଏହି ଆରୋପ ଓ ପ୍ରତ୍ୟାରୋପ ରାଜନୀତି ଆଗକୁ କି ମୋଡ଼ ନେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *