ସୁଧୁରୁନି ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟବସ୍ଥା । ଭେଣ୍ଟିଲେଟରରୁ ବାହାରିଛନ୍ତି ସତ ହେଲେ ଏବେ ବି ସେ କୋମାରେ ଅଛନ୍ତି। ତାଙ୍କ ବ୍ରେନ୍ କାମ କରୁନାହିଁ।
ଦୀର୍ଘ ଦେଢ଼ ମାସ ହେବ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ସୁଧାର ଆସିନଥିବା ଜଣାପଡ଼ିଛି। ଗତ ୩ ଦିନ ତଳେ ତାଙ୍କର MRI brain scan କରାଯାଇଥିବା ବେଳେ ରିପୋର୍ଟରେ ମଧ୍ୟ କୌଣସି ଉନ୍ନତି ଦେଖାଯାଇନାହିଁ।

ସୂଚନା ମୁତାବକ, ଅନେକ ଦିନରୁ ଲିଭର ଜନିତ ରୋଗରେ ପୀଡ଼ିତ ଥିଲେ। ହେଲେ ଅଗଷ୍ଟ ୩୧ ତାରିଖରେ ହଠାତ୍ ତାଙ୍କର ସ୍ୱାସ୍ଥ୍ୟ ବିଗିଡିବାରୁ ତାଙ୍କୁ କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେବେଠାରୁ ସେ କୋମାରେ ରହିଛନ୍ତି। ତାଙ୍କୁ ସୁସ୍ଥ କରିବା ପାଇଁ ପରିବାର ଓ ଡାକ୍ତରମାନେ ଉଦ୍ୟମ ଚଳାଇଥିଲେ ବି ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ପାର୍ବଣ ଋତୁରେ ସେ ସୁସ୍ଥ ହୋଇ ଫେରିବେ ଏବଂ ନିଜ ଗୀତରେ ଦର୍ଶକଙ୍କୁ ଝୁମେଇବେ ବୋଲି ଆଶା କରାଯାଉଥିଲା। ସେତେବେଳେ ତାଙ୍କ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ଆସିଥିଲେ ବି ପୁଣି ଏବେ ତାଙ୍କର ସମାନ ଅବସ୍ଥା ଅଛି ।

ଅଭିଜିତ ମଜୁମଦାର ଅନେକ ଆଲବମ, ସିରିଏଲ ଓ ଫିଲ୍ମ ପାଇଁ ଗୀତ ଗାଇବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ସେ ପ୍ରଥମେ ସମ୍ବଲପୁରୀ ଗୀତରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ସେ ଓଡ଼ିଆ ଫିଲ୍ମ ପାଇଁ କାମ କରିଥିଲେ । ସେ ମୋଟ ୭୦୦ରୁ ଅଧିକ ଗୀତ ନିର୍ମାଣ କରିଛନ୍ତି ।
