ଆଜି ରାମନବମୀ; ଉତ୍ସବମୁଖର ଅଯୋଧ୍ୟା

ନୂଆଦିଲ୍ଲୀ,17/4: ଆଜି ପବିତ୍ର ରାମ ନବମୀ । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମତିଥି । ଆଜିର ଦିନରେ ପାପର କ୍ଷୟ ପାଇଁ ଧରାପୃଷ୍ଠକୁ ଓହ୍ଲାଇଥିଲେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର । ରାମ ନବମୀକୁ ନେଇ ଆଜି ସାରା ଦେଶ ଉତ୍ସବମୁଖର । ସେହିପରି ପ୍ରାଣ ପ୍ରତିଷ୍ଠା ପରେ ଆଜି ଅଯୋଧ୍ୟା ରାମ ମନ୍ଦିରରେ ପ୍ରଥମ ଥର ରାମ ନବମୀ ମହୋତ୍ସବ ଆୟୋଜିତ ହେଉଥିବାରୁ ଚଳଚଞ୍ଚଳ ରହିଛି ରାମ ନଗରୀ । ସଜେଇ ହୋଇଛି ସାରା ଅଯୋଧ୍ୟା । ଭୋର୍ ସକାଳୁ ମନ୍ଦିରରେ ବାଲକ ରାମଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ ଜମୁଛି । ଆଜି ରାମନବମୀରେ ପ୍ରଥମ ଥର ଅଯୋଧ୍ୟାରେ ରାମଲାଲାଙ୍କ ଦିବ୍ୟ ଦର୍ଶନ ହେବ । ସୂର୍ଯ୍ୟତିଳକରେ ଅଭିଷିକ୍ତ ହେବେ ରାମଲାଲା । ମଧ୍ୟାହ୍ନ 12ଟାରେ 4 ମିନିଟ୍ ଯାଏ ସୂର୍ଯ୍ୟଙ୍କ କିରଣ ରାମଲାଲାଙ୍କ ସମସ୍ତକୁ ସୁଶୋଭିତ କରିବ ।
ଚୈତ୍ର ଶୁକ୍ଳପକ୍ଷର ନବମୀ ତିଥିରେ ରାମନବମୀ ପାଳିତ ହୁଏ । ପ୍ରଭୁ ରାମ ଥିଲେ ଧର୍ମର ପ୍ରତୀକ । ବିଶ୍ୱରେ ଧର୍ମ ଓ ଏକତାର କରିଥିଲେ ସ୍ଥାପନା । ଧର୍ମଶାସ୍ତ୍ର ଅନୁଯାୟୀ, ଚୈତ୍ର ମାସରେ ପଡୁଥିବା ରାମ ନବମୀ ପୃଥିବୀରେ ପରମାତ୍ମାଙ୍କ ଶକ୍ତିର ପ୍ରତୀକ । ଶ୍ରୀରାମଙ୍କ ଜନ୍ମ ଦୁଷ୍ଟ ରାବଣର ବଧ ନିମନ୍ତେ ହୋଇଥିଲା । ସେଥିପାଇଁ ରାମ ନବମୀ ଉତ୍ସବ ଧର୍ମ, ଶକ୍ତିର ମହିମା, ଭଲ ଓ ଖରାପ ମଧ୍ୟରେ ସଂଘର୍ଷକୁ ଦର୍ଶାଇଥାଏ । ହିନ୍ଦୁଙ୍କ ପାଇଁ ଏହି ପର୍ବର ମହତ୍ତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏନେଇ ସାରା ଦେଶ ଉତ୍ସବମୁଖର । ଧୁମଧାମରେ ରାମ ନବମୀ ଉତ୍ସବ ପାଳନ ହେଉଛି । ସବୁଆଡେ ଆଧ୍ୟାତ୍ମିକ ମହୋଲ ସୃଷ୍ଟି ହୋଇଛି । ରାମନାମ ଧ୍ବନିରେ କମ୍ପୁଛି ଚତୁର୍ଦିଗ ।
ସେପଟେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଥମ ଥର ପାଇଁ ରାମ ନବମୀ ପାଳନ କରାଯିବ । ଏହି ପବିତ୍ର ଉତ୍ସବରେ ରାମଲାଲାଙ୍କର ହେବ ସୂର୍ଯ୍ୟତିଳକ । ଏଥିସହ ରାମଲାଲାଙ୍କ ନିକଟରେ 56 ପ୍ରକାରର ଭୋଗ ଅର୍ପଣ କରାଯିବ । ଆଜି ମଧ୍ୟାହ୍ନ ସମୟରେ ରାମଲାଲାଙ୍କ ସୂର୍ଯ୍ୟତିଳକ ହେବ । ପ୍ରଭୁ ରାମଙ୍କ ମସ୍ତକରେ 4 ମିନିଟ ଧରି ଏହା ଶୋଭାବର୍ଦ୍ଧନ କରିବ । ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବ୍ୟବସ୍ଥା କରାଯାଇଛି । ସେହିପରି ଭକ୍ତମାନଙ୍କ ଦ୍ବାରା ପ୍ରସ୍ତୁତ ଭୋଗ ଆଜି ମଧ୍ୟାହ୍ନରେ ପ୍ରଭୁଙ୍କ ନିକଟରେ ଅର୍ପଣ କରାଯିବ