ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର “ନିର୍ଣ୍ଣୟ”

ଭୁବନେଶ୍ବର, ୨୬/୪ : ଶ୍ରଦ୍ଧା ସବୁରୀ ପ୍ରଡ଼କସନର ପ୍ରଥମ ଅବଦାନ ତଥା ଟିକି ପଟ୍ଟନାୟକ ପ୍ରଯୋଜିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର “ନିର୍ଣ୍ଣୟ” ଶୁଭମୁକ୍ତି କରିଛି l ଏବେ ଆମ ସିନେ ଇଣ୍ଡଷ୍ଟ୍ରିରେ ବିଭିନ୍ନ ମୌଳିକ କାହାଣୀକୁ ନେଇ ଚିତ୍ର ନିର୍ମାଣ ଟ୍ରେଣ୍ଡ ଚାଲିଥିବାବେଳେ “ନିର୍ଣ୍ଣୟ” ମଧ୍ୟ ସେଇ ଧାରାରେ ନିର୍ମାଣ ହୋଇଛି l ସିନେପଲିସରେ ନିର୍ଣ୍ଣୟର ପ୍ରିମିଅର ଶୋ ଅବସରରେ ଟିମର ସମସ୍ତ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକଙ୍କ ସମେତ ଓଲିଉଡ଼ର ଅନେକ କଳାକାର, ପ୍ରଯୋଜକ, ନିର୍ଦ୍ଦେଶକ ତଥା ସମୀକ୍ଷକ ଏକାଠି ବସି ଦେଖିଥିଲେ l ୪ଟି ମୁଖ୍ୟ ଚରିତ୍ର ଜୀବନ ବାଟରେ ଚାଲିଲାବେଳେ ସମୟ ସେମାନଙ୍କୁ ନେଇ ଏମିତି ମୋଡ଼ରେ ଛାଡିଛି ସମାଜ ଆଖିରେ ସେମାନେ କୋଉଠି ନା କୋଉଠି ଦୋଷୀଟିଏ ହେଇଯାଆନ୍ତି ! ଭଲ ପାଇବାକୁ ଏକ ସମ୍ପର୍କର ନାଁ ଦେବା ପାଇଁ କାହିଁକି ଦୁଇଜଣ ଅନବରତ ଚେଷ୍ଟାରେ ଥାଆନ୍ତି। ଏଇ ଚେଷ୍ଟାର ନାଁ ସମାଜ ଦୋଷ ଦେଇ ଦିଏ । ସତରେ ସେମାନେ କେତେ ଦୋଷୀ ? ଆଉ ଯଦି ବି ଦୋଷୀ, କୋଉ ନିର୍ଣ୍ଣୟ ପାଇଁ ଆଜି ଏମିତି ଦୋଛକିରେ ଠିଆ ହେଇଛନ୍ତି ? ନିଜ ପାଇଁ ନିର୍ଣ୍ଣୟ ନେବା ଆଉ ସେଇ ନିର୍ଣ୍ଣୟରେ ନିଜକୁ ଠିଆ କରିବା କେତେ ଯୁକ୍ତିଯୁକ୍ତ । ଏହି ସବୁକୁ ନେଇ ନିର୍ମାଣ ହୋଇଛି ଚଳଚ୍ଚିତ୍ର “ନିର୍ଣ୍ଣୟ” ।ପିଲାଟି ଦିନରୁ ଅଭିନୟ ପ୍ରତି ରୁଚି ରଖିଥିବା ଟିକି ପଟ୍ଟନାୟକ କେନ୍ଦ୍ର ସରକାର ଅଧିନସ୍ଥ ଚାକିରୀରୁ ଅବସରର ନେଇ କଳା ପ୍ରତି ବିଶେଷ ଆକୃଷ୍ଟ ଥିବାରୁ ନିଜର ପ୍ରଡ଼କସନ ହାଉସ କରି ଯୁଗ ଉପଯୋଗୀ ଉନ୍ନତମାନର ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ଅଣ୍ଟା ଭିଡିଛନ୍ତି l ୟା’ ପୂର୍ବରୁ ଶ୍ରଦ୍ଧା ସବୁରୀ ପ୍ରଡ଼କସନ ହାଉସ ଅନେକ ସଫଳ ମ୍ୟୁଜିକ ଭିଡ଼ିଓ ଏବଂ ଟେଲିଭିଜନ ସିରିଏଲ ପାଇଁ ଟେଲି ଦୁନିଆରେ ନାଁ କରିସାରିଛି l “ନିର୍ଣ୍ଣୟ” ତାଙ୍କର ପ୍ରଥମ ଚଳଚ୍ଚିତ୍ର l ଅଭିଜ୍ଞ ଯୁବ ନିର୍ଦ୍ଦେଶକ ରାଜେନ୍ଦ୍ର ମହାନ୍ତଙ୍କ ଦ୍ୱାରା ନିର୍ଦ୍ଦେଶିତ ନିର୍ଣ୍ଣୟ ଚଳଚ୍ଚିତ୍ର ଟିର କାହାଣୀ ଲେଖିଛନ୍ତି ଶୁଭଶ୍ରୀ ଶୁଭଶ୍ମିତା ମିଶ୍ର ଏବଂ ସଂଳାପ ଲେଖିଛନ୍ତି ସୁମିତ ପଣ୍ଡା l ଚିତ୍ରତ୍ତୋଳନ ଦାୟିତ୍ୱରେ ଅଛନ୍ତି ଦୀପକ କୁମାର l ଗୀତ ରଚନା ସ୍ଥିତ ପଟ୍ଟନାୟକ, ସୁମିତ ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବର୍ତ୍ତମାନର ଯୁବ ନିର୍ଦ୍ଦେଶକ ସୋମେଶ ଶତପଥି ଏବଂ ଗୌରବ ଆନନ୍ଦ l କଣ୍ଠଦାନ କରିଛନ୍ତି ସଞ୍ଚିତା ଶୁଭଦର୍ଶିନୀ, ଆଶୀଷ ପ୍ରଧାନ, ଅନୁରାଧା ପାଣିଗ୍ରାହୀ ଏବଂ ଗୌରବ ଆନନ୍ଦ l ଅଭିନୟରେ ଅଛନ୍ତି ଓଲିଉଡ଼ର ନାମୀ କଳାକାର ମାନଙ୍କ ମଧ୍ୟରୁ ସୂର୍ଯ୍ୟମୟୀ ମହାପାତ୍ର, ନୈନା ଦାଶ, ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀ, ସୁକାନ୍ତ ରଥ, ପ୍ରୀତିରାଜ ଶତପଥି, ଚୌଧୁରୀ ଜୟପ୍ରକାଶ ଦାସ, ସ୍ୱସ୍ତିକ ଚୌଧୁରୀ, ଅଭିଜିତ ଦାସ, ଭାସ୍ବତୀ ବସୁ, ବିଜୟିନୀ ମିଶ୍ର, ପୂର୍ଣ୍ଣିମା ବରାଳ, ପ୍ରିୟା ବିଷୋୟୀ, ପୂର୍ଣ୍ଣିମା ଦାସଗୁପ୍ତା (ମୁସ୍କାନ), ଟିକି ପଟ୍ଟନାୟକ, ଜଗବନ୍ଧୁ ପଣ୍ଡା ଏବଂ ସାଇଭୀର ପଣ୍ଡା l ରାଜେନ୍ଦ୍ର ମହାନ୍ତ ନିର୍ଦ୍ଦେଶିତ ଚକ୍ଷୁ ବନ୍ଧନ, କୋଉ ଆକାଶର ଜହ୍ନ ତୁ ଓ ଅଦୃଶ୍ୟମ ଦର୍ଶକ ଯେମିତି ଢେର ଭଲ ପାଇବା ଦେଇଛନ୍ତି ଠିକ ସେମିତି ନିର୍ଣ୍ଣୟ କୁ ମଧ୍ୟ ଭଲ ପାଇବା ଦେଉଥିବା ଦେଖିବାକୁ ମିଳିଥିଲା l ପ୍ରେକ୍ଷାଳୟରେ ଦର୍ଶକଙ୍କ ଭିଡ଼ ଏବଂ ଫିଲ୍ମ ଦେଖିବା ପର ଖୁସିକୁ ଦେଖି ସିନେମା ହିଟ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ମତ ଦେଇଛନ୍ତି l ଚଳଚ୍ଚିତ୍ରର ପ୍ରଚାର ପ୍ରସାର ଦାୟିତ୍ୱରେ ଅଛନ୍ତି ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ l

Leave a Reply

Your email address will not be published. Required fields are marked *