ଆଜି ଆସୁଛନ୍ତି ରାହୁଲ, ନଡ୍ଡା

ଭୁବନେଶ୍ବର: ରବିବାର ଓଡ଼ିଶାରେ ହାଇଭୋଲଟେଜ୍ ପ୍ରଚାର ଦେଖିବାକୁ ମିଳିବ। ପୂର୍ବାହ୍ନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅପରାହ୍ନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓଡ଼ିଶାକୁ ପ୍ରଚାର ପାଇଁ ଆସୁଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ଦୁଇ ହେଭିୱେଟ୍‌ଙ୍କ ଗସ୍ତକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ଶିବିର ଚଳଚଞ୍ଚଳ ହୋଇଉଠିଛି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଦିନିକଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜୟନ୍ତୀ ଅବସରରେ ସାଲେପୁର କୁଳିଆଠାରେ ଆୟୋଜିତ ନ୍ୟାୟ ସମାବେଶକୁ ସମ୍ବୋଧିତ କରିବେ। ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ନିଶ୍ଚିତ ଭାବେ ରାଜନୈତିକ ଦିଶା ନିର୍ଦ୍ଦେଶ କରିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଆଜି କଂଗ୍ରେସ ଭବନରେ ଏହି ଉପଲକ୍ଷେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ ଏମ୍‌.ଭି ବିକ୍ରମାକା କହିଛନ୍ତି, ମଧୁ ବାବୁ ହେଉଛନ୍ତି ଓଡ଼ିଶାର ଗର୍ବ ଓ ଗୌରବ। ତାଙ୍କ ଜୟନ୍ତୀକୁ ଓଡ଼ିଶାବାସୀ ସ୍ବାଭିମାନ ଦିବସ ଭାବେ ପାଳନ କରିଥାନ୍ତି। ଏହି ଅବସରରେ ରାହୁଲ ଗାନ୍ଧୀ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରଠାରେ ପହଞ୍ଚି ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବେ। ପରେ କୁଳିଆଠାରେ କଂଗ୍ରେସ କର୍ମୀଙ୍କୁ ସମ୍ବୋଧିତ କରିବେ।ଓଡ଼ିଶା ପ୍ରଭାରୀ ଅଜୟ କୁମାର କହିଛନ୍ତି ଯେ ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିବା ପାଇଁ ରାହୁଲ ଓଡ଼ିଶା ଆସୁଛନ୍ତି। ତେଲେଙ୍ଗାନାରେ ଦିଆଯାଇଥିବା ୬ଟି ଗ୍ୟାରେଣ୍ଟି ମଧ୍ୟରୁ ୫ଟି ପୂରଣ ହୋଇଛି। ଓଡ଼ିଶାରେ ଦଳ ପକ୍ଷରୁ ଦିଆଯାଇଥିବା ପ୍ରତ୍ୟେକ ଗ୍ୟାରେଣ୍ଟିକୁ ପୂରଣ କରାଯିବ ବୋଲି ଶ୍ରୀ କୁମାର କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ, ନିର୍ବାଚନ ପରିଚାଳନା କମିଟି ଅଧ୍ୟକ୍ଷ ପ୍ରସାଦ ହରିଚନ୍ଦନ, ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆ, ଓଡ଼ିଶା ସହ ପ୍ରଭାରୀ ସାହନାୱାଜ ଚୌଧୁରୀ, ଗଣମାଧ୍ୟମ ସେଲ୍‌ ଅଧ୍ୟକ୍ଷ ବିଶ୍ବରଂଜନ ମହାନ୍ତି, ମିଡିଆ ପ୍ରଭାରୀ ବବିତା ର୍ଶମା ଓ ହାଜମଲ ଉଲ୍ଲା ହୁସେନ ଉପସ୍ଥିତ ଥିଲେ।

ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ରବିବାର ଅପରାହ୍ନ ୪ଟା ୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ବିମାନବନ୍ଦରରୁ ସିଧାସଳଖ ସ୍ୱତନ୍ତ୍ର ବିମାନରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ ଯିବେ। ସାଢ଼େ ୫ଟାରେ ଆମ୍ବପୁଆ ଠାରେ ସାଧାରଣ ସଭାରେ ଯୋଗଦେବେ। ପରେ ସଂଧ୍ୟା ୬ଟା ୪୫ରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ। ଏହି ବୈଠକରେ ବ୍ରହ୍ମପୁର, ଆସିକା, ନବରଙ୍ଗପୁର ଓ କୋରାପୁଟରେ ପ୍ରାର୍ଥୀ ହୋଇଥିବା ସମସ୍ତ ଲୋକସଭା ଓ ବିଧାନସଭା ଆସନର ପ୍ରାର୍ଥୀଙ୍କ ସମେତ ଜିଲ୍ଲା ସଭାପତି, ପଦାଧିକାରୀ ଯୋଗଦେବେ। ନଡ୍ଡା ବ୍ରହ୍ମପୁରରେ ରାତ୍ରିଯାପନ କରି ସୋମବାର ସକାଳେ ଭାୟା ଭୁବନେଶ୍ବର ହୋଇ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *