ହେଲିକପ୍ଟରକୁ ନେଇ ଚର୍ଚ୍ଚା

ଢେଙ୍କାନାଳ, ୩/୫ : ଢେଙ୍କାନାଳ ସହର ଉପକଣ୍ଠ ମହିଷାପାଟସ୍ଥିତ ପଲ୍ଲିଶ୍ରୀମେଳା ତଥା ବସ୍‌ଷ୍ଟାଣ୍ଡ ପଡ଼ିଆରେ ଆଜି ସକାଳୁ ହଠାତ୍‌ ଏକ ହେଲକପ୍ଟର୍‌ ଅବତରଣ କରିଥିଲା। ପୂର୍ବରୁ ଏ ସଂପର୍କରେ କୌଣସି ସୂଚନା ନଥାଇ ହେଲିପକ୍ଟର୍‌ଟି ହଠାତ୍‌ ଓହ୍ଲାଇଥିବାରୁ ଏହାକୁ ନେଇ କିଛି ସମୟ ପାଇଁ ବିଭ୍ରାନ୍ତି ସୃଷ୍ଟି ହୋଇଥିଲା। ଖବର ପାଇ ଏସ୍‌ଡିପିଓ ବିଭୂତି ମହାପାତ୍ର, ଅଗ୍ନିଶମ ବିଭାଗ ଅଧିକାରୀ ପ୍ରଶାନ୍ତ ଧଳ, ଟାଉନ୍‌ଥାନା ଅଧିକାରୀ ପ୍ରଭାତ ସାହୁ ଓ ଫ୍ଲାଇଂ ସ୍କ୍ୱାଡ୍‌ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ। ଏସଂପର୍କରେ ଫ୍ଲାଇଂ ସ୍କ୍ୱାଡ୍‌ ଢେଙ୍କାନାଳ ଟିମ୍‌ର ମାଜିଷ୍ଟ୍ରେଟ୍‌ ଦାୟିତ୍ବରେ ଥିବା ଶିବରାମ ସେଠୀ କହିଛନ୍ତି, ବଡ଼ବିଲରୁ ଭୁବନେଶ୍ୱର ଦେଇ ଏହି ହେଲିକପ୍ଟରଟି ମୁମ୍ବାଇ ଯାଉଥିଲା।

ଭୁବନେଶ୍ୱରରେ ପାଗ ଖରାପ ଥିବା ସୂଚନା ପାଇବା ପରେ ଢେଙ୍କାନାଳରେ ତାହା ଅବତରଣ କରିଥିଲା। ବିମାନରେ ଥିବା ୫ ଜଣଙ୍କ ମଧ୍ୟରୁ ୨ ପାଇଲଟ୍‌ ଓ ଜଣେ ଇଞ୍ଜିନିୟର୍‌ ରହିଛନ୍ତି। ଏନ୍‌ ପ୍ରଭାକରନ୍ ଓ ଦୀପଙ୍କର ରାୟଚୌଧୁରୀ ଅନ୍ୟ ଏକ ଗାଡ଼ିରେ ଚାଲିଯାଇଛନ୍ତି। ତେବେ ହେଲିକପ୍ଟର୍‌ରୁ କୌଣସି ପ୍ରକାର ସନ୍ଦେହଜନକ ତଥ୍ୟ ମିଳିନାହିଁ। ଏସ୍‌ଡିପିଓ ବିଭୂତି ମହାପାତ୍ର କହିଛନ୍ତି, ବଡ଼ବିଲର ଏକ କଂପାନିର ଏହି ହେଲକପ୍ଟର କୌଣସି ମିଟିଂ ପାଇଁ ୫ ଜଣଙ୍କୁ ନେଇ ଯାଉଥିଲା। ପାଗ ଖରାପ ହେବାରୁ ଡିଜିସିଏଠାରୁ ଅନୁମତି ଆଣି ଢେଙ୍କାନାଳରେ ଅବତରଣ କରିଥିଲେ। ପୁନର୍ବାର ଅନୁମତି ମିଳିବା ପରେ ସକାଳ ସାଢ଼େ ୧୦ଟା ସମୟରେ ଏଠାରୁ ଉଡ଼ାଣ କରିଥିଲା।

Leave a Reply

Your email address will not be published. Required fields are marked *