ଭୁବନେଶ୍ବର, ୨୦/୨ : କିଟ୍ ହଷ୍ଟେଲରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି । କିଟ୍ କେଳେଙ୍କାରୀ ଏବେ ପଦାକୁ ଆସିବାରେ ଲାଗିଛି । ପୁଳା ପୁଳା ଟଙ୍କା ଦେଇ ସେଠି ପାଠ ପଢନ୍ତି ପିଲା । ମାତ୍ର ଏବେ ସବୁ କିଛି ପଦାକୁ ଆସିବାରେ ଲାଗିଛି । ପ୍ରଭାବଶାଳୀ ଆଇଏଏସ୍ ଅଫିସରଙ୍କ ପତ୍ନୀ ଓ ସଂପର୍କୀୟଙ୍କ ଠିକଣା ପାଲିଟିଛି କିଟ୍ ଓ କିସ୍ । ଏକ କଥା ଆମେ କହୁନୁ ବରଂ ବିଧାନସଭାରେ ଏହାକୁ ନେଇ ଉଠିଛି କଥା । ଅନେକ ଆଇଏଏସ୍ ଓ ଆଇପିଏସ୍ଙ୍କ ପତ୍ନୀ କିଟରେ କାମ କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାବାହିନୀ ପତି ଓ ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ।ଶକ୍ତି ଓ ଆଇଟି ସଚିବ ବିଶାଳ ଦେବଙ୍କ ପତ୍ନୀ ଡା. ଶ୍ରୁତି ବିଶାଲ ଦେବ ଏବେ କିଡସରେ ଜଣେ ଦାନ୍ତ ଡାକ୍ତର ଭାବେ କାମ କରୁଛନ୍ତି। ବିଶାଲ ଦେବ ଇଡକୋ ଏମଡି ଥିବାବେଳେ ପ୍ରାୟ ୮୦ ଏକର ସରକାରୀ ଜମିକୁ କିଟକୁ ଯେଭଳି ଲିଜ୍ ଦେଇଥିଲେ, ସେ ନେଇ ଆପତ୍ତି ଉଠାଇଥିଲେ ସିଏଜି । ଆତ୍ମହତ୍ୟା କରିଥିବା ନେପାଳ ଛାତ୍ରୀ ପ୍ରକୃତି ଲାମସାମ୍ ପ୍ରଥମେ କିଟର ଇଣ୍ଟରନେସନାଲ୍ ରିଲେସନ୍ସ ଅଫିସରେ ତାଙ୍କୁ ତାଙ୍କର ବଏଫ୍ରେଣ୍ଡ୍ ହଇରାଣ କରୁଥିବା କଥା ଜଣାଇଥିଲେ। ମାତ୍ର ତାର ସମାଧାନ ହୋଇପାରିନଥିଲା।
ଆଉ ସେହି ଇଣ୍ଟରନେସନାଲ୍ ରିଲେସନ୍ସ ଅଫିସର ବର୍ତ୍ତମାନର ଡିଜି ହେଉଛନ୍ତି ଆଇଏଫ୍ଏସ୍ ଅଫିସର ଦେବରାଜ ପ୍ରଧାନ। ଦେବରାଜ ପ୍ରଧାନ ପୂର୍ବରୁ ନରୱେ ଆମ୍ବାସଡର ଥିଲେ। ସେହିଭଳି ରାଜ୍ୟ ସରକାରରେ କାର୍ଯ୍ୟ କରୁଥିବା ଜଣେ ଆଇଏଏସ୍ ଅଫିସରଙ୍କ ପତ୍ନୀ କିଟର ଇଣ୍ଟରନେସନାଲ୍ ରିଲେସନ୍ସ ଅଫିସରେ ଡେପୁଟି ଡାଇରେକ୍ଟର ଭାବେ କାମ କରୁଛନ୍ତି।ଅନେକ ବରିଷ୍ଠ ନେତାଙ୍କ ପତ୍ନୀ ଓ ପୁଅ ଝିଅ ମଧ୍ୟ କିଟରେ ଚାକିରି କରୁଛନ୍ତି। ଯେମିତି ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ପତ୍ନୀ ଇପସିତା ଶତପଥୀ ଦୀର୍ଘ ବର୍ଷ ହେବ କିଟରେ ମ୍ୟାନେଜମେଣ୍ଟ ପ୍ରଫେସର ଭାବେ କାମ କରୁଛନ୍ତି। ସେହିଭଳି ପୂର୍ବତନ ବିଜେଡି ବିଧାୟକ ଅନୁଭବ ପଟ୍ଟନାୟକ କିଟର ସିଏସ୍ଆର ଡାଇରେକ୍ଟର ଭାବେ କାମ କରୁଛନ୍ତି।
ଏ ତାଲିକା ଏମିତି ଖୁବ୍ ଲମ୍ବା।ଏଭଳି ପ୍ରଭାବଶାଳୀ ଲୋକଙ୍କୁ ରଖିଥିବାରୁ କିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା କଷ୍ଟକର ହୋଇପଡ଼ୁଛି ବୋଲି କହିଛନ୍ତି ସାମାଜିକ କର୍ମୀ ପ୍ରଦୀପ ପ୍ରଧାନ। ଅନେକ ଆଇଏଏସ୍ ଓ ଆଇପିଏସ୍ଙ୍କ ପତ୍ନୀ କିଟରେ କାମ କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାବାହିନୀ ପତି ଓ ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ।