ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ରାଜଭବନରେ କରିବେ ରାତ୍ରିଯାପନ

ଭୁବନେଶ୍ବର,୫/୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତିରେ ଦୁଇ ଦିନିଆ ଓଡ଼ିଶା ଗ୍ରସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବାୟୁ ସେନାର ଏକ ସ୍ବତନ୍ତ୍ର ବିମାନରେ ପହଞ୍ଚିଲା ପରେ ବରିଷ୍ଠ ବିଜେପି ନେତାମାନେ ତାଙ୍କୁ ସ୍ବାଗତ ଜଣାଇଛନ୍ତି। ବିମାନବନ୍ଦର ବାହାରେ କଳାକାରମାନେ ପାରଂପରିକ ବାଦ୍ୟ, ନୃତ୍ୟ ଓ ଗୀତରେ ମୋଦୀଙ୍କୁ ସ୍ବାଗତ କରାଯାଇଛି। ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ମୋଦୀ ସିଧାସଳଖ ରାଜଭବନ ଅଭିମୁଖେ ସ୍ବତନ୍ତ୍ର କାରକେଡରେ ବାହାରିଛନ୍ତି। ଭୁବନେଶ୍ୱରସ୍ଥିତ ରାଜଭବନରେ ରାତି ବିତାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ସୋମବାର) ସକାଳେ ବ୍ରହ୍ମପୁର ଅଭିମୁଖେ ବାହାରିବେ। ସେଠାରେ ନିର୍ବାଚନୀ ସଭାରେ ଯୋଗ ଦେବେ। ପରେ ସେ ପୁଣି ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇ ଉଦ୍‌ବୋଧନ ଦେବେ।