ଗ୍ରାଉଣ୍ଡ ଜିରୋର ସ୍ଥିତି ପରଖୁଛନ୍ତି ନବୀନ

ଭୁବନେଶ୍ବର, ୨୬/୯ : ବିଜେଡି ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । କିଛି ଦିନ ହେବ ବିଜେଡିର ନେତା ବିଜେପିକୁ ଡେଉଁଛନ୍ତି । ଏଣୁ ଦଳକୁ ଏକଜୁଟ୍ କରିବାକୁ ନବୀନ ପ୍ରସ୍ତୁତ କରିବେ ଯୋଜନା । ନିର୍ବାଚନ ପରେ ଦଳର ସବୁ ତୁଙ୍ଗ ନେତାଙ୍କୁ ଡାକି ସଂଗଠନ ସଜାଡ଼ିବାକୁ ବାହାରିଛନ୍ତି ନବୀନ । ଶୁକ୍ରବାର ଶଙ୍ଖ ଭବନରେ ବସୁଛି ବିଜେଡିର ବଡ଼ ବୈଠକ। ସମନ୍ୱୟ କମିଟି ସଦସ୍ୟ, ସବୁ ବରିଷ୍ଠ ନେତା ଓ ଜିଲ୍ଲା ସଭାପତିଙ୍କ ସହ ଦଳର ସବୁ ଛାମୁଆ ନେତାଙ୍କୁ ଏକାଠି ବସାଇ ଆଲୋଚନା କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଏହି ବୈଠକରେ ଦଳ ସାଂଗଠନିକ ସ୍ଥିତି ସୁଦୃଢ଼ କରିବା ପାଇଁ ସ୍ଥିର ହେବ ରଣନୀତି । ଏଥିସହ ଅକ୍ଟୋବର ୨ରୁ ଜନସଂପର୍କ ପଦଯାତ୍ରା ଓ ସଦସ୍ୟ ସଂଗ୍ରହ ଅଭିଯାନ ସଂପର୍କରେ ମଧ୍ୟ ବିଶଦ ଆଲୋଚନା ହେବ । ଆଗକୁ ନିଜେ ନବୀନ ପଟ୍ଟନାୟକ ଜିଲ୍ଲାରୁ ଜିଲ୍ଲା ବୁଲିବେ। ଆଗରେ ରହି ଦଳକୁ ଆଗେଇ ନେବେ । ଏହାପୂର୍ବରୁ ଦଳର ଅଭିଜ୍ଞ ତଥା ଆଗଧାଡ଼ିର ନେତାଙ୍କୁ ବିଭିନ୍ନ କମିଟି ଦାୟିତ୍ଵ ଦେଇ ପ୍ରଥମ ପଦକ୍ଷେପର ଶୁଭାରମ୍ଭ କରିସାରିଛନ୍ତି ନବୀନ । ସମନ୍ୱୟ କମିଟି ପରେ ତିନି ତିନିଟି ନୂଆ କମିଟି କରିଛନ୍ତି । ପ୍ରସନ୍ନ ଆଚାର୍ଯ୍ୟ, ଅତନୁ ସବ୍ୟସାଚୀ ନାୟକ ଓ ସଞ୍ଜୟ ଦାସବର୍ମା ଭଳି ନେତାଙ୍କୁ ଏହି ତିନିଟି କମିଟିର ଆବାହକ ଦାୟିତ୍ଵ ଦିଆଯାଇଛି । ତିନି କମିଟିରେ ବିଭିନ୍ନ ଅଞ୍ଚଳ ଓ ବର୍ଗର ୬୦ ନେତାଙ୍କୁ ଦାୟିତ୍ଵ ବଣ୍ଟନ କରାଯାଇଛି ।ନଭେମ୍ବରରୁ ଗ୍ରାଉଣ୍ଡକୁ ଓହ୍ଲାଇବା ପୂର୍ବରୁ ସାଂଗଠନିକ ସ୍ଥିତି ସମୀକ୍ଷା ଜାରି ରଖିଛନ୍ତି ନବୀନ। ୨୦ରୁ ଅଧିକ ଜିଲ୍ଲାରେ ବିଜେଡିର ସ୍ଥିତି କ’ଣ ରହିଛି, ତାହା ନିଜେ ପରଖୁଛନ୍ତି । ଜିଲ୍ଲାସ୍ତରରେ ସଂଗଠନରେ ଅସନ୍ତୋଷ ରହିଛି କି, ତାର ସମାଧାନ କଣ, କେଉଁ ପ୍ରସଙ୍ଗ ନେଇ ଜିଲ୍ଲାସ୍ତରୀୟ ନେତା ଆଗକୁ ବଢିବେ, ନେତାଙ୍କୁ ସେସବୁ ଟିପ୍ସ ଦେଉଛନ୍ତି ନବୀନ ।

ଗୁରୁବାର ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାର ନେତାଙ୍କ ସହ ସମୀକ୍ଷା କରିଛନ୍ତି ସୁପ୍ରିମୋ । ନେତାମାନେ ମଧ୍ୟ ନବୀନଙ୍କୁ ଖୋଲାଖୋଲି କଥା କହୁଛନ୍ତି । ନିର୍ବାଚନରେ ଦଳ କାହିଁକି ହାରିଲା, ଆଗକୁ ସାଂଗଠନିକ ଶକ୍ତି ବଢ଼ାଇବାକୁ କଣ କରାଯାଇପାରିବ, ନେତାମାନେ ପ୍ରସ୍ତାବ ବି ଦେଉଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ । ତେଣୁ ଏବେଠାରୁ ଦଳକୁ ଶକ୍ତିଶାଳୀ କରିବାକୁ ଯୋଜନା ତିଆରି କରୁଛନ୍ତି ନବୀନ ।

Leave a Reply

Your email address will not be published. Required fields are marked *