ମୁଖ୍ୟମନ୍ତ୍ରୀଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ, ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ସହିତ କଲେ ଆଲୋଚନା

ଭୁବନେଶ୍ୱର,୨/୮ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରି ରାତିରେ ରୋଗୀମାନଙ୍କର କିପରି ଯତ୍ନ ନିଆ ଯାଉଛି ସେ ସମ୍ପର୍କରେ ପଚାରି ବୁଝିଛନ୍ତି। ରୋଗୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ରହିବା, ଖାଇବା ଓ ଆଟେଣ୍ଟାଣ୍ଡମାନଙ୍କ ପାଇଁ ଥିବା ସୁବିଧା ସଂପର୍କରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ। ଏହା ସହିତ ହସ୍ପିଟାଲର ପରିମଳ ବ୍ୟବସ୍ଥା ସଂପର୍କରେ ମଧ୍ୟ ବୁଝିଥିଲେ।କ୍ୟାପିଟାଲ ହସ୍ପିଟାଲର ଆହୁରି ଆଧୁନିକୀକରଣ କରାଯାଇ ରୋଗୀମାନଙ୍କ ପାଇଁ ଅଧିକ ସୁବିଧାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ହସ୍ପିଟାଲରେ ରୋଗୀ ସେବାରେ ଆହୁରି ଅଧିକ ଉନ୍ନତି ଆଣିବା ତଥା ଡାକ୍ତର ଓ ଅନ୍ୟ କର୍ମଚାରୀ ମାନେ ରୋଗୀ ମାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବା ପାଇଁ ସେ ପରାମର୍ଶ ଦେଇଥିଲେ। ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପଣ୍ଡା ଉପସ୍ଥିତ ଥିଲେ।ଏହି ଅବସରରେ ହସ୍ପିଟାଲର ଅସ୍ଥାୟୀ କର୍ମଚାରୀମାନଙ୍କ ସହିତ ମଧ୍ୟ ଆଲୋଚନା କରି ସେମାନଙ୍କ ପ୍ରାପ୍ୟ ମଜୁରୀ ସମ୍ପର୍କରେ ବୁଝିଥିଲେ। ନୂଆ ବର୍ଦ୍ଧିତ ମଜୁରୀ ମିଳିବା ପରେ ସେମାନଙ୍କ ପ୍ରାପ୍ୟ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରୋଗୀ ସେବା ପରି ଏକ ମହାନ୍ କାର୍ଯ୍ୟରେ ନିଷ୍ଠାର ସହିତ ଦାୟିତ୍ଵ ତୁଲାଉ ଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ।