କଟକ, ୧୬/୮ : ଆଜି ଅପରାହ୍ନରେ ଓଡିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଯୋଗେଶ ବାହାଦୁର ଖୁରାନିଆ, ଆଇ.ପି.ଏସ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଡିଜିପି ଶ୍ରୀ ଖୁରାନିଆ ପୋଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଉପସ୍ଥିତ ବରିଷ୍ଠ ଅଧିକାରୀଗଣ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ପରେ ତାଙ୍କୁ “ଗାର୍ଡ ଅଫ୍ ଅନର” ପ୍ରଦାନ କରାଯାଇଥିଲା । ପରେ ଡିଜିପି ଶ୍ରୀ ଖୁରାନିଆ ଶହିଦ ସ୍ମୃତି ସ୍ତମ୍ଭ ଠାରେ ମାଲ୍ୟାର୍ପଣ କରି ଶହିଦଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ । ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଡିଜିପି ଶ୍ରୀ ଖୁରାନିଆ କହିଥିଲେ ଯେ, ଓଡିଶା ପୋଲିସର ସ୍ଵତନ୍ତ୍ର ଗରିମା ଏବଂ ଗୌରବ ରହିଛି । ପୋଲିସର ମୁଖିଆ ଭାବେ ଦାୟିତ୍ଵ ଗ୍ରହଣ କରି ନିଜକୁ ଗୌରବାନ୍ଵିତ ମନେ କରିବା ସହ ରାଜ୍ୟବାସୀଙ୍କୁ ଉନ୍ନତ ମାନର ପୋଲିସ ସେବା ଯୋଗାଇବା ସବୁଠୁ ବଡ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଆହ୍ଵାନ କ୍ରମେ, ଥାନାରେ କାର୍ଯ୍ୟରତ କର୍ମଚାରୀ ଏବଂ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଉପରେ ସେ ଗୁରୁତ୍ଵାରୋପ କରାଯିବ ବୋଲି ଡିଜିପି ଶ୍ରୀ ଖୁରାନିଆ କହିଥିଲେ ।ବିଗତ ଦିନରେ ଓଡିଶା ପୋଲିସ ମାଓବାଦୀ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି କହିବା ସହ ଲଢେଇରେ ଶହୀଦ ଯବାନ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା, ଅପରାଧ ଦମନ, ଅପରାଧ ନିରାକରଣ ଉପରେ ଗୁରୁତ୍ଵ ଦିଆଯିବ । ସମାଜର ଦୁର୍ବଳ ବର୍ଗ, ଶିଶୁ ଓ ମହିଳା ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ଅପରାଧ ଉପରେ ସ୍ଵତନ୍ତ୍ର ଧ୍ୟାନ ଦେବେ ବୋଲି ଡିଜିପି ଶ୍ରୀ ଖୁରାନିଆ କହିଥିଲେ । ସାଂପ୍ରତିକ ପରିସ୍ଥିତିରେ ବଢି ଚାଲିଥିବା ସାଇବର ଅପରାଧକୁ ସଫଳତାର ସହ ମୁକାବିଲା କରିବା ପାଇଁ ସ୍ଵତନ୍ତ୍ର ପଦକ୍ଷପ ନିଆଯିବ ବୋଲି ଡିଜିପି ଶ୍ରୀ ଖୁରାନିଆ କହିଥିଲେ । ଆଗାମୀ ଦିନରେ ମାଦକ ଦ୍ରବ୍ଯର ପ୍ରସାର ଏବଂ ଅପରାଧ ଉପରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବୋଲି ସେ କହିଥିଲେ । ଜନସାଧାରଣଙ୍କ ଶ୍ରଦ୍ଧାଭାଜନ ହେବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିବା ବୋଲି ଡିଜିପି ଶ୍ରୀ ଖୁରାନିଆ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ସୂଚନାଯୋଗ୍ୟ ଯେ ୧୯୯୦ ବ୍ୟାଚର ଆଇ.ପି.ଏସ୍ ଅଧିକାରୀ ଶ୍ରୀ ଖୁରାନିଆ ହରିୟାନା ରାଜ୍ୟର ମୂଳବାସିନ୍ଦା ଅଟନ୍ତି । ତାଙ୍କ ଚାକିରି କାଳ ମଧ୍ୟରେ ସେ ସୋନପୁର, ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ, ରାଉରକେଲାର ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି। ପରେ ସେ ଡିଆଇଜି ଭାବେ ଦକ୍ଷିଣାଞ୍ଚଳ ରେଞ୍ଜ (ବ୍ରହ୍ମପୁର) ରେ କାର୍ଯ୍ୟ କରିଥିଲେ । ଏହାସହ ସେ ଅତିରିକ୍ତ ପୋଲିସ କମିଶନର ଭାବେ କଟକ-ଭୁବନେଶ୍ବର କମିଶନରେଟ ଦାୟିତ୍ଵ ନେଇଥିଲେ । ଏହାପରେ ସେ ଡିଆଇଜି ଭାବେ ଉତ୍ତରାଞ୍ଚଳ (ସମ୍ବଲପୁର) ରେ କାର୍ଯ୍ୟ କରିଥିଲେ । ସେହିପରି ଆଇ.ଜି.ପି (ଉତ୍ତରାଞ୍ଚଳ, ସମ୍ବଲପୁର), ଆଇ.ଜି.ପି (ଏସଏପି), ଆଇ.ଜି.ପି (ଅପରେସନ), ବିପିଏସପିଏ ରେ ଆଇ.ଜି.ପି (ଟ୍ରେନିଂ), ଆଇ.ଜି.ପି (କ୍ରାଇମବ୍ରାଞ୍ଚ), ଆଇ.ଜି.ପି (ଭିଜିଲାନ୍ସ) ଭାବେ କାର୍ଯ୍ୟ କରିଥିଲେ । ଏହାପରେ ସେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଭିଜିଲାନ୍ସ), କଟକ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ପ୍ରୋଭିଜନିଙ୍ଗ) ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ । ସେ ମଧ୍ୟ ପୋଲିସ କମିଶନର (ଭୁବନେଶ୍ବର-କଟକ) ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ । ପରେ ସେ କେନ୍ଦ୍ରକୁ ଡେପୁଟେସନରେ ଯାଇ ବିଏସଏଫର ବିଭିନ୍ନ ଉଚ୍ଚ ପଦପଦବୀରେ ଅବସ୍ଥାପିତ ଥିଲେ । ପରେ ୨୦୨୩ ମସିହା ଜୁନ ମାସରେ ଆରକ୍ଷୀ ମହାନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ପାଇ ନୂଆଦିଲ୍ଲୀ ସ୍ଥିତ ବିଏସଫ ମୁଖ୍ୟାଳୟଠାରେ ସ୍ଵତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ । ଡିଜିପି ଶ୍ରୀ ଖୁରାନିଆଙ୍କ ଦାୟିତ୍ୱ ଗ୍ରହଣ ସମୟରେ ରାଜ୍ୟ ପୋଲିସ ବିଭାଗର ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ ପୋଲିସ ମୁଖ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।
Related Posts
ହବାଳିଖଟିରେ ଲ୍ୟାଣ୍ଡଫଲ୍ କଲା ‘ଦାନା’
- satakhabar
- October 25, 2024
- 0
ଭୁବନେଶ୍ୱର,୨୫/୧୦ : ଲ୍ୟାଣ୍ଡଫଲ କଲା ବାତ୍ୟା ‘ଦାନା’। ରାତି ୧୨ଟା ୦୫ରେ କଲା ଲ୍ୟାଣ୍ଡଫଲ୍। ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ଥିଲା ଲ୍ୟାଣ୍ଡଫଲ୍ର କେନ୍ଦ୍ରସ୍ଥଳ। ଆଉ ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆହୁରି ୧ରୁ ୨ଘଣ୍ଟା ଚାଲିବ […]
ଶ୍ରୀମନ୍ଦିରରେ ଆୟୋଜିତ ହେବ ବନକଲାଗି ନୀତି, ଆସନ୍ତାକାଲି ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
- satakhabar
- August 6, 2024
- 0
ପୁରୀ, ୬/୮ : ମହାପ୍ରଭୁଙ୍କ ଆସନ୍ତାକାଲି ଶ୍ରାବଣ-ଶୁକ୍ଳ ତୃତୀୟା ତିଥିରେ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିଲାଗି ୪ ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଆସନ୍ତାକାଲି ଅପରାହ୍ନ ୫ […]
ପୁରୀ ଲୋକ ସଭା ଆସନ ପାଇଁ ଜୟ ନାରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା କଂଗ୍ରେସ
- satakhabar
- May 5, 2024
- 0
ଭୁବନେଶ୍ୱର,୫/୫: କଂଗ୍ରେସ ଜୟ ନାରାୟଣ ପଟ୍ଟନାୟକଙ୍କୁ ପୁରୀ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିଛି। ଏହାପୂର୍ବରୁ ପାର୍ଟି ପାଣ୍ଠି ନ ମିଳିବାରୁ ହେତୁ ସୁଚରିତା ମହାନ୍ତି ଟିକେଟ ଫେରସ୍ତ କରିଥିଲେ।ସେ ଅଖିଳ ଭାରତ […]