ଓଲିଉଡ଼ – ବିବାଦ – ଟୁଟୁ ନାୟକ- ‘ଆଇଲଭୟୁ -୨’

ଭୁବନେଶ୍ବର, ୨/୯ : ଟୁଟୁ ନାୟକ । ଏ ନା କହିଲେ ସମସ୍ତ ଓଡ଼ିଆ ଦର୍ଶକଙ୍କ ମନରେ ଆସେ ୨୦୦୪ରେ ରିଲିଜ ହୋଇଥିବା ଓଡ଼ିଆ ଫିଲ୍ମ ‘ଆଇଲଭୟୁ’ର କଥା । ଯେଉଁଥିରେ ନାୟକ ଭୂମିକାରେ ନଜର ଆସିଥିଲେ ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ବ୍ରଜରାଜ ମୁଭିଜ ବ୍ୟାନରରେ ନିର୍ମିତ ହୋଇଥିଲା ଏହି ଫିଲ୍ମ । ଯାହାର ନିର୍ଦ୍ଦେଶନା ଭାର ନିଭାଇଥିଲେ ସ୍ବର୍ଗତ ହରପଟ୍ଟନାୟକ ଏବଂ ପ୍ରଯୋଜନାରେ ଥିଲେ ସଞ୍ଜୟ ନାୟକ ଓରଫ ଇଣ୍ଡଷ୍ଟ୍ରିରେ ସମସ୍ତଙ୍କ ପ୍ରିୟ ଟୁଟୁ ନାୟକ ।

ଏବେ ୨୦୨୪ରେ ରିଲିଜ ହେବାକୁ ଯାଉଛି ଏହାର ସିକ୍ବେଲ ‘ଆଇଲଭୟୁ ୨’ । ବସନ୍ତ ନାୟକ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହୋଇଛି ଏହି ଚଳଚ୍ଚିତ୍ର । ଏଥିରେ ନିର୍ଦ୍ଦେଶନା ଭାର ସୁଧାଂଶୁ ମୋହନ ସାହୁ ନିଭାଇଥିବାବେଳେ ପ୍ରଯୋଜନାରେ ଅଛନ୍ତି ସଞ୍ଜୟ ନାୟକ । ‌ଏଥିରେ ଡେବ୍ୟୁ କରିବାକୁ ଯାଉଛନ୍ତି ନାୟକ ଆଦିତ୍ୟ ମହାପାତ୍ର । ଯାହାକୁ ନେଇ ଏବେ ଓଲିଉଡ଼ରେ ଚର୍ଚ୍ଚା । ଏ ଆଦିତ୍ୟ କିଏ ? ପ୍ରଥମେ କୁହାଯାଉଥିଲା କି ସେ ଟୁଟୁ ନାୟକଙ୍କ ପୁଅ । ମାତ୍ର ମହାପାତ୍ରର ଟାଇଟେଲ ରିଭିଲ୍ ହେବା ପରେ କୁହାଗଲା ସେ ବିଧାୟକ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ପୁଅ ବୋଲି । ମାତ୍ର ଏଇ କିଛି ଦିନ ତଳେ ‘ଆଇଲଭୟୁ ୨’ର ଅଡ଼ିଓ ରିଲିଜ ସମୟରେ ଟୁଟୁ ନାୟକ ଏହା ଉପରେ ନିଜର ମତ ରଖିଥିଲେ ।

ସେ କହିଥିଲେ ଯେ, ଆଦିତ୍ୟ ଜଣେ ଭୁବନେଶ୍ବରର ପିଲା । ସେ ଯାହା ବି ହେଉ ଏହି ଘଟଣା ଟୁଟୁ ନାୟକ ଏବଂ ଫିଲ୍ମ ‘ଆଇଲଭୟୁ ୨’ କୁ ଚର୍ଚ୍ଚାର ଶୀର୍ଷକୁ ଆଣିଥିଲା ।ଏଥିରୁ ଏବେ କିଛି ଲୋକ ଟୁଟୁ ନାୟକଙ୍କ ଉପରେ ଅଙ୍ଗୁଳି ଉଠାଇବାକୁ ଲାଗିଛନ୍ତି । ସେ କହୁଛନ୍ତି କି ଟୁଟୁ ନାୟକ କେବଳ ନିଜର ପବ୍ଲିସିଟି କରୁଛନ୍ତି । ଆହୁରି ମଧ୍ୟ କେତେ ଜଣ ନିଜ ନାଁକୁ ଗୋପନ ରଖି କହିଛନ୍ତି କି ଏହା ଟୁଟୁ ନାୟକଙ୍କ ଫିଲ୍ମ ପ୍ରମୋଶନର ଏକ ବାହାନା । ଏଭଳି କରି ଚର୍ଚ୍ଚାରେ ରହି ନିଜ ଫିଲ୍ମକୁ ଲୋକଲୋଚନକୁ ଆଣିବାକୁ ସେ ଚେଷ୍ଟା କରୁଛନ୍ତି । ମାତ୍ର ଏହାରି ଭିତରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଘଟଣା ହେଉଛି କି ଆଇଲଭୟୁ ଫିଲ୍ମ ଭଳି ଏଥର ବି ତାଙ୍କୁ କାଣ୍ଟେକା ଟକ୍କର ସାମ୍ନା କରିବାକୁ ପଡ଼ୁଛି । ତାର ଉଦାହରଣ ସେ କହିଛନ୍ତି କି ତାଙ୍କୁ ଏବେ ହଲ୍ ମିଳୁନାହିଁ । ତାଙ୍କ ଫିଲ୍ମ ରିଲିଜ ହେବା ପାଇଁ କିଛି ଲୋକ ଚାହୁଁ ନାହାନ୍ତି ।

ସେ ଯାହାବି ହେଉ ଟୁଟୁ ନାୟକ ବିବାଦର ବାଦଶାହା । ସେ ଯାହା କୁହନ୍ତି ଏବଂ ଯାହା କରନ୍ତି ତାକୁ ନେଇ ସୃଷ୍ଟି ହୁଏ ଓଲିଉଡ଼ରେ ଚର୍ଚ୍ଚା । ଯଦି କିଛି ଲୋକଙ୍କ କଥା ସତ ହୁଏ ତେବେ ତାଙ୍କ କହିବା ଅନୁସାରେ ଟୁଟୁ ନାୟକଙ୍କ ଏହା ଏକ ଷ୍ଟାଟେଜୀ । ନିଜ ଫିଲ୍ମର ନାଁକୁ ଲାଇମଲାଇଟରେ ରଖିବାକୁ । ଏବେ ଦେଖିବାକୁ ବାକି ରହିଲା ତାଙ୍କ ଫିଲ୍ମ ‘ଆଇଲଭୟୁ ୨’କୁ କେତେମାତ୍ରାରେ ସଫଳତା ଲାଭ କରୁଛି ।